ଓଡ଼ିଶାରେ ଯେତିକି ହାତୀ ରହି ପାରିବା କଥା ତାହାଠୁ ୪୦୦ ଅଧିକ ହାତୀ ଅଛନ୍ତି ।

ରାଜ୍ୟରେ ହାତୀ ମୃତ୍ୟୁ ତଦନ୍ତ ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ପ୍ରତିକ୍ରିୟା ରଖିଛନ୍ତି । ଓଡ଼ିଶାରେ ହାତୀଙ୍କ ପାଇଁ ସ୍ଥାନ ଅଭାବ । ଯେତିକି ହାତୀ ରହି ପାରିବା କଥା ତାହାଠୁ ୪୦୦ ଅଧିକ ଅଛନ୍ତି ।ସେ ଆହୁରି କହିଛନ୍ତି, ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସେସର ଏଲିଫ୍ୟାଣ୍ଟ ସେଣ୍ଟର ଷ୍ଟଡି ଅନୁସାରେ, ଓଡ଼ିଶା ଜଙ୍ଗଲରେ ସର୍ବାଧିକ ୧୭୦୦ ହାତୀ ରହିପାରିବେ । କିନ୍ତୁ ଏବେ ୪୦୦ ହାତୀ ଅଧିକ ଅର୍ଥାତ୍ ୨୧ ଶହ ହାତୀ ଅଛନ୍ତି । ସେଇଥିପାଇଁ ଖାଦ୍ୟ ଅନ୍ୱେଷଣରେ ଜନବସତିମୁହାଁ ହେଉଛନ୍ତି ହାତୀ ।

ହାତୀ- ମଣିଷ ଲଢ଼େଇ ବଢ଼ୁଛି।ଏହାବାଦ୍ ବିଦ୍ୟୁତ ଆଘାତ ଓ ଟ୍ରେନ୍ ଦୁର୍ଘଟଣାରେ ମଧ୍ୟ ହାତୀଙ୍କ ଜୀବନ ଯାଉଛି । ଭୁଲ ବୁଝାମଣା ପାଇଁ ରାଉରକେଲା ଓ ମେରାମୁଣ୍ଡଳୀରେ ଟ୍ରେନ୍ ଦୁର୍ଘଟଣାରେ ହାତୀଙ୍କ ଜୀବନ ଯାଇଥିଲା । ଓଡ଼ିଶା ଜଙ୍ଗଲରେ ଅଧିକ ହାତୀ ଥିବାରୁ ବିଶେଷଜ୍ଞଙ୍କ ପରାମର୍ଶରେ କିଛି ହାତୀ ଶିମିଳିପାଳ ସ୍ଥାନାନ୍ତର ପାଇଁ ଯୋଜନା ଚାଲିଛି । ସ୍ଥାନାନ୍ତର ପୂର୍ବରୁ ସ୍ଥାନୀୟ ବାସିନ୍ଦା ଓ ଜନପ୍ରତିନିଧିଙ୍କ ସହ ଆଲୋଚନା କରାଯିବ । ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି, ଏବେ ରାଜ୍ୟକୁ ଝାଡ଼ଖଣ୍ଡୀ ଓ ଛତିଶଗଡ଼ୀ ହାତୀ ଆସୁଛନ୍ତି । ରାଜ୍ୟରେ ହାତୀଙ୍କ ବାସ୍ତବ ସଂଖ୍ୟା ଜାଣିବାକୁ ନଭେମ୍ବର ୧୪ ଓ ୧୫ ଦୁଇ ଦିନ ଧରି ଚାଲିବ ହାତୀ ଗଣନା । ଏବେ ହାତୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି । ପୂର୍ଣ୍ଣମୀ ରାତିରେ ସେମାନଙ୍କର ଫଟୋ ଓ ଭିଡିଓ ଉତ୍ତୋଳନ କରି ସେମାନଙ୍କ ଗଣନା କରାଯିବ ।

ଅଧିକ ପଢନ୍ତୁ