ବିପୁଳ ପରିମାଣରେ ବ୍ରାଉନସୁଗାର ଜବତ, ଜେଲ୍‌ ଗଲେ ସ୍କୁଟି ଦିଦି

ବାଲେଶ୍ଵର ଏସପି ଙ୍କ ନିର୍ଦ୍ଦେଶରେ ପୁଲିସର ଏକ ସ୍ବତନ୍ତ୍ର ଟିମ ଜଳେଶ୍ଵର ମ୍ୟୁନିସିପାଲିଟି ଅଧୀନସ୍ଥ ସେକବାଡ ଗ୍ରାମରେ ଚୋରା ରେ ବ୍ରାଉନସୁଗାର ବେପାର ଚଳାଇଥିବା ସ୍କୁଟି ଦିଦି ଓରଫ ରୁକସାନା ବିବିଙ୍କ ଘରେ ଚଢ଼ାଉ କରିଛି। ଦୀର୍ଘଦିନ ଧରି ସ୍କୁଟିରେ ବୁଲି ବୁଲି ବ୍ରାଉନସୁଗାର ବେପାର କରୁଥିବା ଏହି ମହିଳାଙ୍କ ଘରୁ ଚଢ଼ାଉ ସମୟରେ ବିପୁଳ ପରିମାଣରେ ବ୍ରାଉନସୁଗାର ଜବତ ହୋଇଥିବା ପୁଲିସ ସୂଚନା ଦେଇଛି। ଦୁଇ ବର୍ଷ ତଳେ ପଶ୍ଚିମବଙ୍ଗ ଏସ୍‌ଟିଏଫ୍‌ ହାତରେ ଧରା ପଡ଼ିଥିଲେ ରୁକ୍‌ସାନାଙ୍କ ଭିଣୋଇ ଏସ୍‌.କେ ରସିଦ। କୋଲକାତାରୁ ତାଙ୍କୁ ଗିରଫ କରିଥିଲା ଏସ୍‌ଟିଏଫ୍‌ ଟିମ୍‌। କାର ସହ ୧୦ ଲକ୍ଷ ଟଙ୍କାର ହେରୋଇନ୍‌ ତାଙ୍କଠାରୁ ଜବତ କରିଥିଲା। ଏବେ ଜେଲ୍‌ରେ ରହିଛନ୍ତି ଏସ୍‌.କେ ରସିଦ। ଭିଣୋଇ ଜେଲ୍‌ ଯିବା ପରେ ବେପାର ବନ୍ଦ କରିନଥିଲେ ରୁକ୍‌ସାନା।

ସେ ତାଙ୍କ ସ୍ୱାମୀ ଟେରା ସାଜନଙ୍କ ସହ ମିଶି ନିଶା ସାମ୍ରାଜ୍ୟକୁ ଆଗକୁ ନେଇଥିଲେ। ହେଲେ ଦୁର୍ଭାଗ୍ୟକୁ ଦେଢ ବର୍ଷ ତଳେ ରୁକ୍‌ସାନାଙ୍କ ସ୍ୱାମୀ ଟେରା ସାଜନଙ୍କୁ ପଶ୍ଚିମବଙ୍ଗ ଏସ୍‌ଟିଏଫ୍‌ ଗିରଫ କରିଥିଲା। ମିଳିଥିବା ସୂଚନା ଅନୁସାରେ ଏବେ ରୁକ୍‌ସାନାଙ୍କ ସ୍ୱାମୀ ଓ ଭିଣୋଇ ପଶ୍ଚିମବଙ୍ଗର ଆଲିପୁର କାରାଗାରରେ ଅଛନ୍ତି।ଆଜି କୌଣସି ସୂତ୍ରରୁ ଖବର ପାଇ ବାଲେଶ୍ଵର ଏସପିଙ୍କ ନିର୍ଦ୍ଦେଶରେ ଓ ଜଳେଶ୍ଵର ଆଇଆଇସି ରଞ୍ଜନ କୁମାର ସେଠୀଙ୍କ ନେତୃତ୍ବରେ ପୁଲିସର ଏକ ୧୫ ଜଣିଆ ସ୍ବତନ୍ତ୍ର ଟିମ ରୁକସାନାଙ୍କ ସେକବାଡ ଘରେ ଚଢ଼ାଉ କରି ବିପୁଳ ପରିମାଣରେ ବ୍ରାଉନସୁଗାର ଜବତ କରିଛି। ରୁକସାନାଙ୍କୁ ପୁଲିସ ଗିରଫ କରିଥିବା ବେଳେ ଅଧିକ ତଦନ୍ତ ପାଇଁ ତାଙ୍କ ବାପାମାଙ୍କୁ ପୁଲିସ ଥାନାକୁ ଉଠାଇ ଆଣିଛି। ସେମାନେ କେଉଁ ଠାରୁ ବ୍ରାଉନସୁଗାର ଆଣୁଥିଲେ,ସେମାନଙ୍କ ଗରାଖ ତାଲିକାରେ କିଏ କିଏ ଓ ସେମାନେ କେଉଁ ଅଞ୍ଚଳର,ସେମାନଙ୍କର କେତେ ସ୍ଥାବର ଅସ୍ଥାବର ସମ୍ପତ୍ତି ରହିଛି ପୁଲିସ ତାହା ଜାଣିବା ପାଇଁ ସମସ୍ତଙ୍କୁ ମାରାଥନ ଜେରା କରାଯାଉଛି ବୋଲି କୁହାଯାଇଛି।

ଅଧିକ ପଢନ୍ତୁ