ଭାରୀଯାନ ଚଳାଚଳରେ ପ୍ରତିବନ୍ଧକ,ନମାନିଲେ କଠୋର କାର୍ଯ୍ୟାନୁଷ୍ଠାନ

ନୟାଗଡ଼, (ଓଡ଼ିଶା ଦର୍ପଣ):ମୋଟର ଯାନ ଆକ୍ଟ ୧୯୮୮(୫୯)ର ସେକ୍‌ସନ ୧୧୫ ଏବଂ ଓଡ଼ିଶା ମୋଟରଯାନ ରୁଲ ୧୯୯୩ର ରୁଲ ୧୭୩ ଅନୁସାରେ ସଡ଼କ ଦୁର୍ଘଟଣାକୁ ପ୍ରତିହତ କରିବା ପାଇଁ  ସମଗ୍ର ନୟାଗଡ଼ ଜିଲ୍ଲାରେ ମାଲ ପରିବହନ କରୁଥିବା ଭାରୀଯାନ ଯଥା-ଟିପର, ଟ୍ରକ୍‌, ଇତ୍ୟାଦି ଦ୍ୱାରା ବାଲି, ମୋରମ,ଗୁଣ୍ଡ ପଥର(ଚିପସ୍‌), ଖଣ୍ଡ ପଥର, ଇଟା ଇତ୍ୟାଦିର ପରିବହନ  ସକାଳ ୭ଘଟିକା ଠାରୁ ରାତ୍ର ୯ଘଟିକା ପର୍ଯ୍ୟନ୍ତ ଜିଲ୍ଲାପାଳ-ତଥା-ଜିଲ୍ଲା ମାଜଷ୍ଟ୍ରେଟ୍ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଦ୍ୱାରା ନିଷିଦ୍ଧ କରାଯାଇଛି। ଏହି ନିଷିଦ୍ଧାଦେଶକୁ ଦିବା ୧ଘଟିକା ଠାରୁ ୩ଘଟିକା ପର୍ଯ୍ୟନ୍ତ କୋହଳ କରାଯାଇଛି । ଏହି ଆଦେଶ ଚଳିତ ମାସ ତା.୨୧.୧୧.୨୦୨୪ରିଖ ଠାରୁ ତା.୨୦.୧୨.୨୦୨୪ପର୍ଯ୍ୟନ୍ତ ବଳବତ୍ତର ରହିବ । ପରିବହନ କରୁଥିବା ଯାନଗୁଡ଼ିକ ଅତ୍ୟଧିକ ମାଲ ବୋଝେଇ,ବିନା ତମ୍ବୁ ଢାଙ୍କୁଣୀ, ପୁଣି କେତେକ ଫଟା ଡାଲା ଯୋଗୁଁ ପିଚୁରାସ୍ତା ଉପରେ ବାଲି ଗୋଡ଼ି ପଡ଼ିବା ଦ୍ୱାରା ବହୁ ସମୟରେ ଦୁର୍ଘଟଣାମାନ ଘଟି ଧନଜୀବନ ନଷ୍ଟ ହେଉଥିବାର ଜିଲ୍ଲା ପ୍ରଶାସନର ଦୃଷ୍ଟିକୁ ଆସିଅଛି । ଜନସାଧାରଣଙ୍କ ଧନ ଜୀବନର ସୁରକ୍ଷା ଦୃଷ୍ଟିରୁ ଏଥିରେ ସହଯୋଗ କରିବା ପାଇଁ  ଜିଲ୍ଲାର ସମସ୍ତ ଟ୍ରକ୍ ମାଲିକ ସଂଘ ଓ ଟ୍ରକ ମାଲିକମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଛି।

ଅଧିକ ପଢନ୍ତୁ