ରାଜ୍ୟର ପ୍ରତ୍ୟେକ ଜିଲାରେ ମୁକ୍ତାକାଶ କାରାଗାର ପ୍ରତିଷ୍ଠା କରିବାକୁ ଓଡ଼ିଶାର କାରାଗାର ମହାନିର୍ଦ୍ଦେଶକ (ଡିଜି)ଙ୍କୁ ସୁପାରିଶ କରିଛନ୍ତି ହାଇକୋର୍ଟ। ଭାରତର ଅନ୍ୟ ରାଜ୍ୟମାନଙ୍କରେ ଏହି ବ୍ୟବସ୍ଥାର ସଫଳତାକୁ ଦୃଷ୍ଟିରେ ରଖି କୋର୍ଟ ଏହି ସୁପାରିଶ କରିଛନ୍ତି। ଆସନ୍ତା ଏକ ସପ୍ତାହ ମଧ୍ୟରେ ଏ ନେଇ ସତ୍ୟପାଠ ଦାଖଲ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜେଲ ବିଭାଗ ଓ ଏନଆଇସି ମଧ୍ୟରେ ଏ ନେଇ ପ୍ଲାନ୍ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟ ପାଇଁ ଦୁଇ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ବୋଲି କୋର୍ଟକୁ ଜଣେଇଛନ୍ତି ସରକାର।
ଏହା ବ୍ୟତୀତ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ବ୍ୟବହାର କରି ସମସ୍ତ କଏଦୀଙ୍କ ଡିଜିଟାଲ୍ ଡାଟାବେସ୍ ପ୍ରସ୍ତୁତ କରିବାକୁ ହାଇକୋର୍ଟ ପ୍ରସ୍ତାବ ଦେଇଛନ୍ତି। ଏହି ବ୍ୟବସ୍ଥା ପ୍ରଶାସନିକ ପ୍ରକ୍ରିୟାଗୁଡ଼ିକୁ ଶୃଙ୍ଖଳିତ କରିବା ଏବଂ ଜେଲ ବ୍ୟବସ୍ଥାରେ ଟ୍ରାକିଂରେ ଉନ୍ନତି ଆଣିବ। ଏହି ପ୍ରସ୍ତାବ ଉପରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ଅଧିକାରୀମାନଙ୍କୁ ଏକ ସପ୍ତାହ ସମୟ ଦିଆଯାଇଛି।