ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) ଚାମ୍ପିଅନ୍ସ ଟ୍ରଫିକୁ ନେଇ ଆଇସିସି ସହ ମୁକାବିଲା କରିବାକୁ ମନସ୍ଥ କରି ନେଇଛି। ପିସିବି ଗୁରୁବାର ଆଇସିସିକୁ ସ୍ପଷ୍ଟ ଶବ୍ଦରେ ଜଣାଇ ଦେଇଛି ଯେ, ବୋର୍ଡ ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ‘ହାଇବ୍ରିଡ ମୋଡେଲ୍’ ଆଦୌ ସ୍ଵୀକାର କରିବ ନାହିଁ। ଏଥିସହ ପିସିବି ଟୁର୍ଣ୍ଣାମେଣ୍ଟକୁ ନେଇ ଆଇସିସି ସହ କୌଣସି ପ୍ରକାରର ବିକଳ୍ପ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ନୁହେଁ। ଶୁକ୍ରବାର ହେବାକୁ ଥିବା ବୋର୍ଡ ବୈଠକରେ ଏହି ବିକଳ୍ପ ଉପରେ ଆଲୋଚନା ନ କରିବାକୁ ପିସିବି ବିଶ୍ୱ ପରିଚାଳନା ସଂସ୍ଥାକୁ ଅନୁରୋଧ କରିଛି । ଏହା ପରେ ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି ନ ହେବାର ଆଶଙ୍କା ବଢିଯାଇଛି । ପାକିସ୍ତାନରେ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପାଇଁ ଭାରତ ନିଜ ଦଳ ପଠାଇବାକୁ ମନା କରିଦେଇଛି ।
ତେବେ ପିସିବି ଆରମ୍ଭରୁ ଭାରତ ଯଦି ପାକିସ୍ତାନ ଗସ୍ତ ନ କରେ ତେବେ ହାଇବ୍ରିଡ ମୋଡେଲ୍ ଉପରେ ବିଚାର କରିବ ବୋଲି କହିଥିଲା। ସର୍ତ୍ତ ଏହା ଥିଲା ଯେ, ଯଦି ଚାମ୍ପିଅନ୍ସ ଟ୍ରଫି ହାଇବ୍ରିଡ ମୋଡେଲ୍ରେ ଖେଳାଯିବ ତେବେ ୨୦୩୧ ପର୍ଯ୍ୟନ୍ତ ହାଇବ୍ରିଡ ମୋଡେଲ୍ ଆପଣା ଯିବ। କାରଣ ୨୦୨୬ରେ ଭାରତରେ ଟି-୨୦ ବିଶ୍ଵକପ୍ ଖେଳାଯିବ। ପୁଣି ୨୦୩୧ରେ ଭାରତ ଓ ବାଂଲାଦେଶରେ ଦିନିକିଆ ବିଶ୍ଵକପ୍ ଖେଳାଯିବ। ତେଣୁ ପାକିସ୍ତାନ ଭାରତ ଗସ୍ତ କରିବ ନାହିଁ। ଏହି ସ୍ଥିତିରେ ହାଇବ୍ରିଡ ମୋଡେଲ୍ ଲାଗୁ କରାଯିବ। ପାକିସ୍ତାନ ଏହା ମଧ୍ୟ ସୂଚାଇ ଦେଇଥିଲା ଯେ, ଯଦି ଭାରତ ପାକିସ୍ତାନ ଗସ୍ତ କରିବାକୁ ଚାହୁଁନି ତେବେ ଏହାର କାରଣ ଲିଖିତ ଭାବେ ଜଣାଇ ଦେଉ।