ଅତ୍ୟାଧୁନିକ ବ୍ୟବସ୍ଥା ସହ ନୂଆ ରୂପ ନେଇଛି ବ୍ରିଟିଶ୍ ଅମଳର କଟକ ରେଳ ଷ୍ଟେସନ୍। ରାଜ୍ୟରେ ପ୍ରଥମ କରି ସିଧାସଳଖ ଜାତୀୟ ରାଜପଥକୁ ସଂଯୋଗ ହେବାକୁ ଯାଉଛି ଷ୍ଟେସନର ପ୍ଲାଟଫର୍ମ। ଷ୍ଟେସନର ପଛପଟ ଅର୍ଥାତ୍ ଶିଖରପୁର ପଟେ ଆଜି ଖୋଲିବାକୁ ଯାଉଛି ଶୀତତାପ ନିୟନ୍ତ୍ରିତ ତୃତୀୟ ଗେଟ୍। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଏହି ନୂଆ ଗେଟର ଉଦଘାଟନ କରିବେ।ଏହି କାର୍ଯ୍ୟକ୍ରମରେ କଟକର ମାନ୍ୟବର ଲୋକସଭା ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ବୈଷ୍ଣବଙ୍କ ଏହି ଗସ୍ତରେ ଭାରତର ପୂର୍ବାଞ୍ଚଳରେ ସେବା ବୃଦ୍ଧି ଉପରେ ବିଶେଷ ଗୁରୁତ୍ୱ ଦିଆଯିବା ସହ ଭିତ୍ତିଭୂମିରେ ଉନ୍ନତି ତଥା ନାଗରିକଙ୍କ ପାଇଁ ଯାତ୍ରା ସହଜ କରିବାକୁ ସରକାରଙ୍କ ପ୍ରତିବଦ୍ଧତା ଦର୍ଶାଉଛି। ମୋଟ ୧୪.୬୩ କୋଟି ଟଙ୍କା ମୂଲ୍ୟରେ ନିର୍ମିତ କଟକ ଷ୍ଟେସନର ପୂର୍ବ ପାର୍ଶ୍ୱ (ଜାତୀୟ ରାଜପଥ ପାର୍ଶ୍ୱ) ଷ୍ଟେସନ ଭବନ ଓ ପ୍ରବେଶ ପଥ ଦ୍ୱାରା ଜାତୀୟ ରାଜପଥ ପାର୍ଶ୍ୱରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ସହଜ ଏବଂ ଅସୁବିଧାମୁକ୍ତ ସୁବିଧା ଯୋଗାଇବ ।
ଯାହା ଯାତ୍ରୀଙ୍କ ସୁବିଧା ଏବଂ ନିରାପତ୍ତାକୁ ଯଥେଷ୍ଟ ଉନ୍ନତ କରିବ। ଅତ୍ୟାଧୁନିକ ପ୍ଲାଟଫର୍ମରେ ଯାତ୍ରୀଙ୍କ ପାଇଁ ୪ଟି ଟିକେଟ କାଉଣ୍ଟର ଥିବା ବେଳେ ଦିବ୍ୟାଙ୍ଗଙ୍କ ପାଇଁ ରହିଛି ସ୍ୱତନ୍ତ୍ର କାଉଣ୍ଟର। ଷ୍ଟେସନ ପରିସରରେ ଅତ୍ୟାଧୁନିକ ଲିଫ୍ଟ୍ ସହ ଏସ୍କାଲେଟର ସୁବିଧା ରହିଛି। ଏଣେତେଣେ ଆବର୍ଜନା ପକାଇଲେ ୨୦୦ ଟଙ୍କା, ଛେପ ପକାଇଲେ ୩୦୦ ଏବଂ ପରିସ୍ରା କଲେ ୪୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବା। ଧୂମ୍ରପାନ କଲେ ୨୦୦ ଟଙ୍କା ଏବଂ କାନ୍ଥ ଖରାପ କଲେ ୫୦୦ ଟଙ୍କା ତଣ୍ଡ ଗଣିବାକୁ ପଡ଼ିବ। ୨୦୨୧ରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ପାଇଁ ୧୫ କୋଟି ଟଙ୍କା ବ୍ୟୟ ହୋଇଛି ।