କଟକ SCBକୁ ପିଛା ଛାଡୁନି ନିଯୁକ୍ତି ଠକେଇ ଅଭିଯୋଗ

ବଦନାମ ହେଉଛି କଟକ ବଡ଼ ମେଡିକାଲ । ପିଛା ଛାଡ଼ୁନି ନିଯୁକ୍ତି ଠକେଇ କଳଙ୍କ । ମାମଲାରେ ବଢୁଛି ଅଭିଯୋଗ ତାଲିକା । ପୁଣିଥରେ ଥାନାରେ ପହଞ୍ଚିଲେ ଠକେଇ ଶିକାର ଯୁବକ ଯୁବତୀ ।ଏସବୁ ଫେକ୍ ନିଯୁକ୍ତିପତ୍ର ଓ ଫେକ୍ ଆଇଡି କାର୍ଡ। ଏମିତି ନକଲି କରି ଚାକିରି ଆଶାୟୀଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଠକି ନିଆଯାଇଛି। ଅଭିଯୋଗକାରୀ କିଭଳି ଠକେଇ ଶିକାର ହୋଇଥିଲେ, ତାର ତଥ୍ୟ ପ୍ରମାଣ ଦେଇ ଥାନାରେ ଅଭିଯୋଗ କରିଛନ୍ତି । ଥାନାରେ ଅଭିଯୋଗ ପରେ ଠକସଂସ୍ଥାର ଆଉଏକ ନୂଆ ଠିକଣାରେ ପୋଲିସ ଚଢ଼ାଉ କରି ଶତାଧିକ ଆବେଦନପତ୍ର ଜବତ କରିବା ସହ ଏହି ଘରକୁ ତାଲା ପକାଇଛି। ଏସସିବି ମେଡିକାଲରେ ଆଟେଣ୍ଡାଣ୍ଟ୍, ସୁରକ୍ଷାକର୍ମୀ, ସଫେଇ କର୍ମୀ, ଲିଫ୍ଟ ଅପରେଟର, ଡାଟା ଏଣ୍ଟ୍ରି ଅପରେଟର, ଟେକ୍ନିସିଆନ୍ ଆଦି ପଦବୀ ପାଇଁ ୨୨ ଶହ କର୍ମଚାରୀଙ୍କୁ ଆଉଟସୋର୍ସିଂ ଜରିଆରେ ନିଯୁକ୍ତି ମିଳିଥାଏ ।

ଯେଉଁଥିରେ ଏସସିବି ର କୌଣସି ଭୂମିକା ନଥାଏ । କେବଳ କିଛି ପଦବୀ ପାଇଁ ମେଡିକାଲ ପକ୍ଷରୁ ଏକ ଟିମ ଗଠନ ହୋଇ ଏହି ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତାକୁ ଦୃଷ୍ଟି ଦିଆଯାଏ । କିନ୍ତୁ ବର୍ତ୍ତମାନ ଯେଉଁ ଦୁଇଟି ଆଉଟସୋର୍ସିଙ୍ଗ ସଂସ୍ଥାର କର୍ମଚାରୀ ନିଯୁକ୍ତି ଠକେଇ ଘଟଣାରେ ସାମିଲ ଅଛନ୍ତି ସେମାନଙ୍କୁ କାରଣଦର୍ଶାଅ ନୋଟସ ଜାରି କରାଯାଇଛି । ଏହାସହ ଆଗାମୀ ଦିନରେ ଏଭଳି ଘଟଣା ଯେପରି ନଘଟେ ସେ ଦିଗରେ ଧ୍ୟାନ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ମେଡିକାଲ ପ୍ରଶାସନିକ ଅଧିକାରୀ ।

ଅଧିକ ପଢନ୍ତୁ