କେନ୍ଦୁଝରଗଡ଼ : ମୁଣ୍ଡ ଉପରେ କାଠବିଡ଼ାର ଓଜନ ଅପେକ୍ଷା ଜୀବନ, ଜୀବିକାର ବୋଝ ଅଧିକ । ତଥାପି ଭୋକକୁ ଭାତ ଦେଉଛି ସେଇ ଜାଳେଣି କାଠ । ଜଙ୍ଗଲରୁ ସଂଗୃହୀତ କାଠ କେନ୍ଦୁଝର ବଜାରରେ ବିକ୍ରି ହେଲେ ଘରେ ଜଳୁଛି ଚୁଲି । କେନ୍ଦୁଝରରେ ଆଦିବାସୀଙ୍କ ପାଇଁ ରୋଜଗାରର ମୁଖ୍ୟ ସାଧନ ପାଲଟିଛି କାଠବିଡ଼ା ବିକ୍ରି । କେନ୍ଦୁଝର ସହର ପାଖାପାଖି ଥିବା ଶୁଆକାଟି, ଜୁଡିଆ ଘାଟି, ସିଦ୍ଧମଠ, ଝାଡ଼ବେଲଦା, ହରିଡାଗୋଠ, ଜାମୁନାଳିଆ, ଖମଣଗୋଡା ସାହି, କାନଝରୀ ଗୋବିନ୍ଦପୁର ଆଦି ଅଞ୍ଚଳର ଆଦିବାସୀ ମାନେ ନିକଟସ୍ଥ ଜଙ୍ଗଲରୁ କାଠ ସଂଗ୍ରହ କରି କାନ୍ଧରେ ବୋହି ବଜାରକୁ ଆଣି ଦି ପଇସା ରୋଜଗାର କରୁଛନ୍ତି । ଆଦିବାସୀ ପରିବାରର ମହିଳା ମାନେ କାଠକୁ ଗୋଛା ବା ବିଡ଼ା କରି ମୁଣ୍ଡରେ ବୋହି ବଜାରକୁ ଆସୁଥିବା ବେଳେ ପୁରୁଷ ମାନେ ଭାର କରି ଦୁଇଟି ବିଡ଼ାକୁ କାନ୍ଧରେ ବୋହି ବଜାର ଆସୁଛନ୍ତି । ହରିଡାଗୋଠରୁ ପ୍ରାୟତଃ ପ୍ରତ୍ୟେକ ଦିନ କାଠ ଆଣି କେନ୍ଦୁଝର ବଜାରକୁ ଆସୁଥିବା ପାର୍ବତୀ ଜୁଆଙ୍ଗ କହନ୍ତି, ଜଙ୍ଗଲରୁ କାଠ ସଂଗ୍ରହ କରିବା ଖୁବ କଷ୍ଟକର, ଭାଲୁ, ହାତୀଙ୍କ ଭୟ ଥାଏ । ସହରକୁ ଆଣିବା ବେଳେ ଯଦି ବନ କର୍ମଚାରୀଙ୍କ ହାବୁଡ଼ରେ ପଡ଼ିଲି ତେବେ କାଠ ତ ଜବତ ହେବ, ମତେ ଘରକୁ ଖାଲି ହାତରେ ଫେରିବାକୁ ପଡ଼ିବ । ସେଥିରେ ପୁଣି ବଜାରରେ ବାବୁମାନଙ୍କ ମୂଲଚାଲ, ଅତି କଷ୍ଟରେ ସହରକୁ ଆଣିଥିବା କାଠ ଶାଗମାଛ ଦରରେ ବିକି ଘର ପାଇଁ ସଉଦା କିଣିବାକୁ ହେଉଛି । ଶୁଆକାଟି ଜଙ୍ଗଲରୁ କାଠ ଆଣି ପ୍ରତିଦିନ କେନ୍ଦୁଝର ବଜାର ଆସୁଥିବା ନେମନ୍ତ ଟୁଡୁ କହନ୍ତି, କାଠ ଭାର ବୋହି କାନ୍ଧରେ ବିଣ୍ଡି ବସିଯାଉଛି । ଦଶ ବାର କିଲୋମିଟର ବାଟ କାଠ ବୋହି ସହରକୁ ଯିବା ଖୁବ କଷ୍ଟକର । ବିକ୍ରି ନହେଲେ ବାଧ୍ୟ ହୋଇ ହୋଟେଲବାଲାଙ୍କୁ କମ ଦରରେ କାଠ ବିକି ଘରକୁ ଯିବାକୁ ପଡୁଛି, କିଏ ଆମ ଦୁଃଖ ବୁଝୁଛି । ଉଭୟ ପାର୍ବତୀ ଜୁଆଙ୍ଗ ଓ ନେମନ୍ତ ଟୁଡୁଙ୍କ ସହ କଥା ହେବା ବେଳେ ତାଙ୍କ ଚେହେରାରୁ ଅସହାୟତା ସ୍ପଷ୍ଟ ବାରି ହୋଇପଡୁଥିଲା ।
କେନ୍ଦୁଝର ଜିଲ୍ଲାରେ ଏଭଳି ହଜାର ହଜାର ପାର୍ବତୀ ଓ ନେମନ୍ତ, ଯେଉଁମାନଙ୍କ କାହାଣୀ ପ୍ରାୟତଃ ଏକାଭଳି । ରତ୍ନଗର୍ଭା କେନ୍ଦୁଝରର ମାଟିତଳେ ବହୁମୂଲ୍ୟ ଖଣିଜ ସମ୍ପଦ ମହଜୁଦ ରହିଛି, ଯାହାକୁ ବିକ୍ରି କରି ଖଣି କମ୍ପାନୀ ଓ କିଛି ମୁଷ୍ଟିମେୟ ମାଲିକ ମାଲେମାଲ ହେଉଛନ୍ତି ହେଲେ କେନ୍ଦୁଝରର ବାସ୍ତବିକ ଅଧିବାସୀ କୁହାଯାଉଥିବା ଏହି ଆଦିବାସୀଙ୍କ ପରିବାରରେ ଏବେବି ଜୀବନ ବଞ୍ଚାଉଛି ଜାଳେଣି କାଠ । ଖଣିଜ କାର୍ଯ୍ୟକଳାପ ପାଇଁ ଅବାଧ ବେଧଡକ ଗଛକଟା ଚାଲିଛି ଅଥଚ ଆଦିବାସୀଟିଏ ଯଦି କାଠବିଡ଼ା ସହ ଧରା ପଡିଲା ତେବେ ତାକୁ ହଇରାଣ ହରକତ କରାଯାଉଛି । ସେହିପରି ଜନଜାତିଙ୍କ ଜୀବନଧାରଣର ମାନରେ ସୁଧାର ଆଣିବାକୁ ମାଳମାଳ ସରକାରୀ ଯୋଜନା, ହେଲେ ତାହା ଆଦିବାସୀଙ୍କ ନିକଟରେ ଆଜି ବି ଅପହଞ୍ଚ କେନ୍ଦୁଝରର ଏହି ଜାଳେଣି କାଠ ବଜାରକୁ ଦେଖିଲେ ସହଜରେ ବୁଝି ହୋଇଯାଏ । କାଠକଟା ଓ ଜଙ୍ଗଲନଷ୍ଟ ରୋକିବା ସହ ଆଦିବାସୀଙ୍କ ପାଇଁ ରୋଜଗାରର ବିକଳ୍ପ ପନ୍ଥା ଆଣିବାକୁ ପ୍ରଶାସନ ଉଦ୍ୟମ କରିବାକୁ ଦାବି ହେଉଛି ।