ଯୁକ୍ତ ୨ ପ୍ରଥମ ବର୍ଷ ଶିକ୍ଷାର୍ଥୀଙ୍କ କଲେଜ ବଦଳି ଆବେଦନ ପ୍ରକ୍ରିୟା ଆରମ୍ଭ

ଯୁକ୍ତ ୨ ପ୍ରଥମ ବର୍ଷ ଶିକ୍ଷାର୍ଥୀଙ୍କ କଲେଜ ବଦଳି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜିଠୁ ଅର୍ଥାତ୍ ଡିସେମ୍ବର ୨୦ରୁ ୨୮ ତାରିଖ ଯାଏ ସାମ୍‌ସ ପୋର୍ଟାଲ୍‌ରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ୩୦ ତାରିଖରେ କଲେଜ ସ୍ତରରେ ସମସ୍ତ ଆବେଦନର ଯାଞ୍ଚ ହେବ । ସାମ୍‌ସ ଜିଲ୍ଲା ନୋଡାଲ ଅଧିକାରୀ ୨୦୨୫ ଜାନୁଆରୀ ୨ ତାରିଖ ମଧ୍ୟରେ ଯାଞ୍ଚ ପ୍ରକ୍ରିୟା ଶେଷ କରିବେ । ଜାନୁଆରୀ ୩ରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟରେ ସମସ୍ତ ଆବେଦନର ସମୀକ୍ଷା ହେବ । ଏହାପରେ ବଦଳି ପାଇଁ ଅନୁମତି ମିଳିବ । ୪ରୁ ୧୩ ତାରିଖ ଯାଏ କଲେଜ ବଦଳି ପିଲା ଇଚ୍ଛୁକ ଛାତ୍ରଛାତ୍ରୀ ନାମ ଲେଖାଇ ପରିବେ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି ।

ଅନ୍ୟପଟେ ନାମଲେଖା ପାଇଁ ବଳକା ଥିବା ସ୍ନାତକ, ସ୍ନାତକୋତ୍ତର, ବିଏଡ୍‌‌, ଏମ୍‌‌ଏଡ୍‌‌, ଏଲ୍‌.ଏଲ୍‌‌.ବି ସିଟ୍‌‌ରେ ନାମଲେଖା ହେବ। ଏଥିପାଇଁ ଗୁରୁବାରଠାରୁ ଦ୍ୱିତୀୟ ପର୍ଯ୍ୟାୟ ସ୍ପଟ୍‌‌ ନାମଲେଖା ଆରମ୍ଭ ହୋଇଛି। ୨୨ତାରିଖ ଯାଏଁ ଆଶାୟୀମାନେ ଆବେଦନ କରିପାରିବେ। ୨୬ ତାରିଖ ଅପରାହ୍ଣ ୪ଟାରେ ମେଧା ତାଲିକା ପ୍ରକାଶ ପାଇବା ସହ ୨୭ ତାରିଖ ସକାଳ ୧୦ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନେ ଆବଶ୍ୟକ ପ୍ରମାଣପତ୍ର ସହ ରିପୋର୍ଟିଂ କରିବେ। ସେହିଦିନ ଅପରାହ୍ଣ ୪ଟାରେ ନାମଲେଖା ପାଇଁ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମ ପ୍ରକାଶ ପାଇବ। ୨୭ରୁ ୩୦ ତାରିଖ ମଧ୍ୟରେ ନାମଲେଖା ହେବ |

ଅଧିକ ପଢନ୍ତୁ

Odisha Darpan Digital