ବ୍ୟାଗକୁ ନେଇ ସଂସଦର ଶୀତ ଅଧିବେଶନରେ ଚର୍ଚ୍ଚାରେ ରହିଛନ୍ତି ପ୍ରିୟଙ୍କା ଗାନ୍ଧୀ । କେତେବେଳେ ପାଲେଷ୍ଟାଇନ୍ ତ କେତେବେଳେ ବାଂଲାଦେଶ ସଂଖ୍ୟାଲଘୁଙ୍କ ସଂପର୍କିତ ବାର୍ତ୍ତା ଲେଖାଥିବା ବ୍ୟାଗ ନେଇ ସଂସଦକୁ ଆସିଛନ୍ତି ପ୍ରିୟଙ୍କା । ତେବେ ଶୀତଅଧିବେଶନର ଶେଷ ଦିନରେ ପ୍ରିୟଙ୍କାଙ୍କୁ ବ୍ୟାଗ୍ ଦେଇଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । ଷଡ଼ଙ୍ଗୀ ତାଙ୍କୁ ‘୧୯୮୪’ ଲେଖା ଥିବା ବ୍ୟାଗ୍ ଭେଟି ଦେଇଛନ୍ତି। ପ୍ରିୟଙ୍କା ନିଜ ବ୍ୟାଗ୍ ଜରିଆରେ କିଛି ନା କିଛି ବାର୍ତ୍ତା ଦେଉଥିବାରୁ ଏମ୍ପିଙ୍କ ପକ୍ଷରୁ ସ୍ବତନ୍ତ୍ର ଭାବେ ଉକ୍ତ ବ୍ୟାଗ୍କୁ ପ୍ରସ୍ତୁତ କରାଯାଇଛି।ବ୍ୟାଗ ଉପହାର ଦେଇ ଶିଖ ଦଙ୍ଗାକୁ ମନେ ପକାଇ ଦେଇଛନ୍ତି ଅପରାଜିତା । ଶିଖ ଦଙ୍ଗାରେ ଶିଖ ବିରୋଧୀ ହିଂସା ଘଟଣା ସାମନାକୁ ଆଣିବାର ଜରୁରୀ ଥିଲା ।
ପ୍ରିୟଙ୍କା ଗାନ୍ଧୀ ବ୍ୟାଗକୁ ବେଶୀ ଭଲ ପାଆନ୍ତି । ତେଣୁ ତାଙ୍କୁ ୧୯୮୪ ଶିଖ ଦଙ୍ଗା ଓ ରକ୍ତ ଛିଟା ଚିତ୍ର ଥିବା ବ୍ୟାଗ ଦେଇଥିବା ଅପରାଜିତା ଷଡ଼ଙ୍ଗୀ କହିଛନ୍ତି । କଂଗ୍ରେସର ବର୍ତ୍ତମାନ ପୀଢି ୫୫ବର୍ଷ ଧରି ଦଳ କ୍ଷମତାରେ ଥିବା ବେଳେ କରିଥିବା ଐତିହାସିକ ଭୁଲ ସଂପର୍କରେ ଜାଣିବା ଦରକାର ବୋଲି ସେ କହିଛନ୍ତି।ଖବରଦାତାଙ୍କୁ ଅପରାଜିତା କହିଛନ୍ତି, ବର୍ତ୍ତମାନ ସମୟରେ କଂଗ୍ରସର ସାର୍ଥକତା ଉପରେ ଲଗାତାର ପ୍ରଶ୍ନ ଉଠୁଛି। ଦେଶର ଜନତା ଦଳକୁ ଖାରଜ କରୁଛନ୍ତି। କଂଗ୍ରେସ ନିକଟରେ ଶାହାଙ୍କ ଭାଷଣକୁ ଭିନ୍ନ ଅର୍ଥରେ ନେଇ ରାଜନୀତି କରିବା ଛଡ଼ା ଅନ୍ୟ ବିକଳ୍ପ ନାହିଁ। ଏଣୁ ତାଙ୍କୁ ଏଭଳି ବ୍ୟାଗ୍ ଉପହାର ଦିଆଯାଇଥିବା ସେ କହିଛନ୍ତି।