ସାଧାରଣ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଦେବା ପାଇଁ ସରକାର ମାଗଣା ଚିକିତ୍ସା ସୁବିଧା ସହ ଯୋଗାଉଛନ୍ତି ମାଗଣା ମେଡିସିନ । ଏଥିପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ଏହାର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ବିନା ଖର୍ଚ୍ଚରେ ରୋଗ କବଳରୁ ମୁକୁଳାଇବାକୁ ସରକାର ପାଣି ପରି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର ଏହି ମେଡିସିନ ଲୋକେ ଖାଇବା ବଦଳରେ ରାସ୍ତା କଡ଼ରେ ଫୋପଡ଼ା ଯାଉଛି |ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ପଞ୍ଚାୟତ ବିଜୟ ଆଦିକନ୍ଦପୁର – ତେଲିଆପଲ୍ଲୀ ଗ୍ରାମ ନିକଟ ରାସ୍ତାକଡରେ ପଡ଼ିଥିବା ବହୁସଂଖ୍ୟକ ମୂଲ୍ୟବାନ ଔଷଧ ପଡ଼ିଥିବା ଦେଖି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି।ବହୁ ମେଡିସିନର ଏକ୍ସପାରୀ ଡେଟ୍ ସରି ଯାଇଥିବା ବେଳେ ଆଉ ବହୁ ମେଡିସିନର ଏକ୍ସପାରୀ ଡେଟ ବି ସରିନି।
କିନ୍ତୁ ଲୋକେ ଖାଇବା ବଦଳରେ ତାହାକୁ କିଏ ଓ କାହିଁକି ଏପରି ଫିଙ୍ଗିଲା ତାହା ସ୍ପଷ୍ଟ ହୋଇ ପାରିନି। ସ୍ବାସ୍ଥ୍ୟ ବିଭାଗର ସତନ୍ତ୍ର ଟିମ ଶନିବାର ଘଟଣାସ୍ଥଳରେ ପହଞ୍ଚି ସେ ସବୁକୁ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି। ଘଟଣା ପ୍ରଘଟ ହେବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସିଙ୍ଗପୁର ପଞ୍ଚାୟତ ସରପଞ୍ଚ ପ୍ରତିମା ମହାପାତ୍ର ଘଟଣାକୁ ତୀବ୍ର ନିନ୍ଦା କରିବାସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।
