ଆୟୋଜିତ ହେବାକୁ ଯାଉଛି ଉତ୍କର୍ଷ ଓଡିଶା – ମେକ୍ ଇନ୍ ଓଡିଶା କନ୍‌କ୍ଲେଭ୍ ୨୦୨୫ ।

ପ୍ରାକୃତିକ ସଂପଦରେ ପରିପୂର୍ଣ୍ଣ ଓଡିଶାର ସାମଗ୍ରିକ ବିକାଶରେ ଆରମ୍ଭ ହେବାକୁ ଯାଉଛି ଏକ ସଂପୂର୍ଣ୍ଣ ନୂଆ ଯୁଗ । ବିକଶିତ ଓଡିଶାର ସ୍ୱପ୍ନ ସାକାର ପାଇଁ ରାଜ୍ୟ ସରକାର ବଦ୍ଧପରିକର । ଓଡିଶାକୁ ଏକ ସମୃଦ୍ଧ ଓ ଶିଳ୍ପୋନ୍ନତ ରାଜ୍ୟ ଭାବେ ଗଢି ତୋଳିବାକୁ ଡବଲ୍ ଇଂଜିନ୍ ସରକାରଙ୍କ ଉଦ୍ୟମରେ ଆୟୋଜିତ ହେବାକୁ ଯାଉଛି ଉତ୍କର୍ଷ ଓଡିଶା – ମେକ୍ ଇନ୍ ଓଡିଶା କନ୍‌କ୍ଲେଭ୍ ୨୦୨୫ । ଭୁବନେଶ୍ୱରର ଜନତା ମଇଦାନରେ ତିନି ଦିନ ଧରି ଆୟୋଜିତ ହେବ ଉତ୍କର୍ଷ ଓଡିଶା ପୁଂଜିନିବେଶ ଶିଖର ସମ୍ମିଳନୀ । ୨୦୨୫ ଜାନୁଆରି ୨୮ରୁ ୩୦ ତାରିଖ ପର‌୍ୟ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଥିବା ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍ ଓଡିଶାରେ ପୁଂଜିନିବେଶ ପାଇଁ ଏକ ମାଇଲଖୁଣ୍ଟ ତଥା ଐତିହାସିକ କାର‌୍ୟ୍ୟକ୍ରମ ହେବାକୁ ଯାଉଛି । ଏହା ଓଡ଼ିଶାର ଶିଳ୍ପ କ୍ଷେତ୍ରର ଭବିଷ୍ୟତକୁ ନୂତନ ଓ ବ୍ୟାପକ କରିବାରେ ସହାୟକ ହେବ । ଓଡ଼ିଶାକୁ ଏକ ବୈଶ୍ୱିକ ଶିଳ୍ପ କେନ୍ଦ୍ରରେ ପରିଣତ କରିବା ସହ ଭାରତର ଏକ ଅଗ୍ରଣୀ ଅର୍ଥନୈତିକ ଶକ୍ତିଶାଳୀ ରାଜ୍ୟର ଆକାଂକ୍ଷାକୁ ସାକାର କରିବା ଦିଗରେ ଏହା ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ।

ମନ୍ତ୍ରୀ କହିଛନ୍ତି, ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଏବଂ ପୂର୍ବୋଦୟ ମିଶନ୍ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ପ୍ରେରଣାଦାୟୀ ମାର୍ଗଦର୍ଶନରେ ଉତ୍କର୍ଷ ଓଡିଶା କନ୍‌କ୍ଲେଭ୍ ଓଡିଶାର ସାମଗ୍ରିକ ଓ ଦୀର୍ଘସ୍ଥାୟୀ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିପାରିବ । ଆମ ସରକାର ରାଜ୍ୟରେ ପୁଞ୍ଜିନିବେଶ, ଶିଳ୍ପ ଅଭିବୃଦ୍ଧି ତଥା ନୂତନ ନିଯୁକ୍ତି ସୃଷ୍ଟି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବାକୁ ପ୍ରତିଶ୍ରୁତିବଦ୍ଧ ।

ଅଧିକ ପଢନ୍ତୁ

Odisha Darpan Digital