ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ‘ବୋରିଂ’ କହିବା ସହ ‘ବିଚାରୀ’ କହି କଟାକ୍ଷ କଲେ ସୋନିଆ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଅସୌଜନ୍ୟମୂଳକ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି। ସଂସଦର ବଜେଟ୍ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ‘ବୋରିଂ’ କହିବା ସହ ‘ବିଚାରୀ’ ବୋଲି ମନ୍ତବ୍ୟ ଦେବାପରେ ବିବାଦ ଆରମ୍ଭ ହୋଇଛି। ଭାଜପା କହିଛି ଯେ, ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କୁ ଅପମାନିତ କରିଛନ୍ତି।ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି ଭାଜପା ନେତା ତଥା କେନ୍ଦ୍ରମନ୍ତ୍ରୀ ଏସପି ସିଂହ ବାଘେଲ। ସେ କହିଛନ୍ତି, ସୋନିଆ ଗାନ୍ଧୀଙ୍କ ବକ୍ତବ୍ୟ ସର୍ବୋଚ୍ଚ ପଦବୀରେ ବସିଥିବା ଜଣେ ଆଦିବାସୀ ମହିଳାଙ୍କ ପ୍ରତି ଅପମାନ। ରାଷ୍ଟ୍ରପତିଙ୍କ ଅଭିଭାଷଣ ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟର ଏକ ବିବରଣୀ ଥିଲା।

ପୂର୍ବ ବଜେଟ ଏବଂ ସରକାରଙ୍କ ବିଭିନ୍ନ ଯୋଜନାରୁ ଲୋକଙ୍କୁ ଲାଭ ମିଳିଛି। ସମାଜର ପ୍ରତ୍ୟେକ ବର୍ଗ ଉପକୃତ ହୋଇଛି। ଏହା ଏକ ଚମତ୍କାର ହିସାବ ଥିଲା।ସୂଚନା ଅନୁସାରେ ଗଣମାଧ୍ୟମ ପ୍ରତିନିଧି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ପ୍ରତିକ୍ରିୟା ନେବାକୁ ଚାହିଁଥିଲେ। କିନ୍ତୁ ରାହୁଲ୍ ତାଙ୍କ ମାଆଙ୍କୁ ପଚାରିଥିଲେ, ଏହା ଉପରେ କ’ଣ କହିବା? ‘ବୋରିଂ’ କହିବା, ନା ‘ନୋ କମେଣ୍ଟ’ କହିବା। ସେତିକି ବେଳେ ସୋନିଆ କହିଥିଲେ, ‘ବିଚାରୀ’ ଭାଷଣ ଦେଇ ଥକିଗଲେଣି । ଏହି କଥା ସେ ସିଧାସଳଖ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିନଥିଲେ ମଧ୍ୟ ଭାଇଭଉଣୀ ଓ ମାଆଙ୍କ ମଧ୍ୟରେ ହୋଇଥିବା ଏହି କଥାବାର୍ତ୍ତା କ୍ୟାମେରାରେ କଏଦ୍ ହୋଇଥିଲା।

ଅଧିକ ପଢନ୍ତୁ