ଜାନୁଆରୀ ଶେଷରୁ ରାଜ୍ୟରେ ଅସ୍ୱାଭାବିକ ଗରମ । ପାରଦ ୩୪ ଡିଗ୍ରୀ ସେଲସିୟସ୍‌ ପାର୍‌ ।

ଫେବୃଆରୀ ପହିଲାରୁ ତାଉ ଦେଖାଇଲାଣି। ମାଘମାସରେ ଶୀତ କି ଜାଡ଼ ନାହିଁ। ବଢିଲା ଦିନ ସହ ରାତିର ତାପମାତ୍ରା। ରାଜ୍ୟରେ ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ୟ୍ୟନ୍ତ ବୃଦ୍ଧି ପାଇଛି ତାପମାତ୍ରା। କଲମ୍ବିଆ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ କ୍ଲାଇମେଟ ସ୍କୁଲ୍‌ର ଆକଳନ ଅନୁସାରେ ଚଳିତବର୍ଷ ଫେବ୍ରୁଆରୀ, ମାର୍ଚ୍ଚ, ଏପ୍ରିଲ ମାସରେ ଭାରତରେ ଭୀଷଣ ଗରମ ଅନୁଭୂତ ହେବ । ସମ୍ଭାବ୍ୟ ଚିତ୍ର ଦେଖାଉଛି, ଉତ୍ତର ଭାରତର କିଛି ଅଂଶ, ପଶ୍ଚିମ ଓ କେନ୍ଦ୍ରୀୟ ଭାରତର କିଛି ରାଜ୍ୟ ସହ ଓଡ଼ିଶାର ଉପକୂଳ ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପ ରହିବ । ଗତ ବର୍ଷ ତୁଳନାରେ ଏବର୍ଷ ଓଡ଼ିଶା ସମେତ ଦେଶରେ ଅଧିକ ଗରମ ଅନୁଭୂତ ହୋଇପାରେ । ଆଇଏମ୍‌ଡିର ଫେବ୍ରୁଆରୀ ମାସ ପାଇଁ ପୂର୍ବାନୁମାନ ଅନୁଯାୟୀ ଫେବ୍ରୁଆରୀରେ ଶୀତ ପ୍ରକୋପ ସମ୍ଭାବନା କମ୍‌ ।

ସାରା ଦେଶରେ ଉଭୟ ଦିନ ଓ ରାତି ତାପମାତ୍ରା ସ୍ୱାଭାବିକଠାରୁ ବେଶ୍‌ ଅଧିକ ରହିପାରେ। ଓଡ଼ିଶାରେ ବି ଶୀତ ରହିବନି। ଦିନ ଓ ରାତି ତାପମାତ୍ରା ସ୍ୱାଭାବିକଠାରୁ ଢେର ଅଧିକ ରହିବ।ପାଣିପାଗ ବିଭାଗ ତଥ୍ୟ ଅନୁସାରେ ଶୁକ୍ରବାର ବଲାଙ୍ଗୀର ୩୩.୮, ସମ୍ବଲପୁର ୩୩.୬, ହୀରାକୁଦ ୩୩.୬, ଭଦ୍ରକ ୩୩.୬, ଅନୁଗୁଳ ୩୩.୧, ସୋନପୁର ୩୩.୧, ନୂଆପଡ଼ା ୩୩ ଡିଗ୍ରୀ ଥିଲା । ଭୁବନେଶ୍ୱର ତାପମାତ୍ରା ୩୨.୪ ଥିବା ବେଳେ ଜଗତସିଂହପୁର ଓ ନବରଙ୍ଗପୁର ୩୨.୫ ଡିଗ୍ରୀ ଥିଲା ।

ଅଧିକ ପଢନ୍ତୁ