ଆସନ୍ତା ରଥଯାତ୍ରା ପାଇଁ ରଥକାଠର ଅନୁକୂଳ ପବିତ୍ର ଶ୍ରୀପଞ୍ଚମୀ ଅବସରରରେ ହୋଇଛି। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଥିବା ରଥଖଳାରେ ୩ ଟି ଧଉରା କାଠ ରଖାଯାଇ ପୂଜାର୍ଚ୍ଚନା କରାଯାଇଛି। ତିନିରଥ ପାଇଁ ତିନିଖଣ୍ତ ଧଉରା କାଠ ଗଜପତି ମହାରାଜାଙ୍କ ରାଜଗୁରୁ ଓ ପୁରୋହିତଙ୍କ ଦ୍ୱାରା ପୂଜାର୍ଚ୍ଚନା କରିଥଲେ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଚୁନପାଣି ପଡ଼ି ପବିତ୍ର କରାଯିବା ପରେ ତିନୋଟି ଧଉରା କାଠର ମାଜଣା କରାଯାଇଥିଲା । ଏହା ପରେ ରାଜଗୁରୁ ଓ ପୁରୋହିତଙ୍କ ଦ୍ୱାରା କାଠ ତ୍ରୟର ପୂଜାର୍ଚ୍ଚନା ହୋଇଥଲା । ସେହିପରି ଆସନ୍ତା ରାମ ନବମୀ ତିଥିରେ ରଥ କାଠ ଚିରଟ ପ୍ରକ୍ରିୟା ଆରମ୍ଭ କରାଯିବାର ବିଧି ରହିଛି । ଆସନ୍ତା ଅକ୍ଷୟ ତୃତୀୟା ତିଥିରେ ରଥ ଖଳାରେ ରଥ ନିର୍ମାଣ ଅନୁକୂଳ ପରେ ତିନି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଚଳିତବର୍ଷ ୨୦୨୫ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚି ସାରିଛି ପ୍ରଥମ ପର୍ଯ୍ୟାୟ ରଥକାଠ ।
ନୟାଗଡ ଦଶପଲ୍ଲା ରେଞ୍ଜରୁ ଆସିଛି ଏହି କାଠ । ରଥ ନିର୍ମାଣ ପାଇଁ ସମୁଦାୟ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହିଥିବା ବେଳେ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପାଖରେ ବଳକା ରହିଛି ୫୧ ଖଣ୍ଡ କାଠ । ମୋଟ ୮୧୪ ଖଣ୍ଡ ଅସନ, ଧଉରା ଏବଂ ଫାସୀ କାଠର ଆବଶ୍ୟକତା ରହିଛି । ତେବେ ନୟାଗଡ ଦଶପଲ୍ଲା ରେଞ୍ଜରୁ ତିନୋଟି ଟ୍ରକରେ ପୁରୀରେ ଆସି ପହଞ୍ଚିଛି । ୧୦୧ ଖଣ୍ଡ ଧଉରା ଓ ଅସନ କାଠ ଆସିଛି । ଏଥିରେ ୫୩ ଖଣ୍ଡ ଧଉରା, ୪୮ ଖଣ୍ଡ ଅସନ କାଠ ରହିଛି । ପର୍ଯ୍ୟାୟ କ୍ରମେ ବାକି କାଠ ଆସି ପହଞ୍ଚିବ ।ସେପଟେ ଆସନ୍ତା ରାମନବମୀ ତିଥିରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ ହେବାର ମଧ୍ୟ ବିଧି ରହିଛି। ଚଳିତବର୍ଷ ରଥଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହେବ ସେନେଇ ଶ୍ରୀଜୀଉଙ୍କ ନିକଟରେ ପ୍ରାର୍ଥନା କରାଯିବ ବୋଲି ବରିଷ୍ଠ ରଥ ତତ୍ତ୍ୱାବଧାରକ ଏବଂ ସେବାୟତ କହିଛନ୍ତି।