ରାଜ୍ୟରେ ନୂତନ ସରକାର କ୍ଷମତାକୁ ଆସିବା ପରେ ଗ୍ରାମାଂଚଳରେ ଧିମେଇ ଯାଇଥିବା ଭିଭିତ୍ତିମି ବିକାଶ କାର୍ଯ୍ୟକୁ ପୁଣିଥରେ ତ୍ୱରାନ୍ୱିତ ପାଇଁ ପଦକ୍ଷେପ ନେଇଛନ୍ତି । ଚଳିତ ମାସ ୫ରୁ ରାଜ୍ୟରେ ଆରମ୍ଭ ହେବ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନା।ଖୋର୍ଦ୍ଧା ଜିଲା ଜଙ୍କିଆରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଯୋଜନା ଶୁଭାରମ୍ଭ କରାଯିବ। ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ସମେତ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ, ସାଂସଦ ପ୍ରମୁଖ ଯୋଗ ଦେବେ। ଏଣିକି ଗ୍ରାମସଭା ନିଷ୍ପତ୍ତି ଅନୁଯାୟୀ ଗାଁର ବିକାଶ ପାଇଁ ଯୋଜନା ପ୍ରସ୍ତୁତ ହେବ। ବିନା ଗ୍ରାମସଭାରେ ଗ୍ରାମରେ କୌଣସି ବିକାଶମୂଳକ କାର୍ଯ୍ୟ ହେବନାହିଁ। ଆସନ୍ତା ୫ବର୍ଷ ପାଇଁ ଗ୍ରାମସଭା ମାଧ୍ୟମରେ ଗ୍ରାମ ବିକାଶର ନୀଳନକ୍ସା ପ୍ରସ୍ତୁତ ହେବ।
ଫେବୃଆରୀ ୧୪ସୁଦ୍ଧା ଗ୍ରାମସଭାରେ ପ୍ରକଳ୍ପ ତାଲିକା ମନୋନୟନ କରିବେ। ସମସ୍ତ ପଞ୍ଚାୟତ ୧୫ରେ ବ୍ଲକରେ ନିଜ ନିଜ ଗ୍ରାମର ପ୍ରକଳ୍ପ ତାଲିକା ଦାଖଲ କରିବେ। ୧୮ସୁଦ୍ଧା ପଞ୍ଚାୟତ ସମିତିର ବୈଷୟିକ କମିଟି ପକ୍ଷରୁ ଏହାର ଯାଞ୍ଚ ଶେଷ ହେବ। ୨୦ ସୁଦ୍ଧା ପ୍ରତି ପଞ୍ଚାୟତର ପ୍ରକଳ୍ପ ତାଲିକା ଜିଲାପାଳଙ୍କ ପାଖକୁ ପଠାଯିବ। ଜିଲାପାଳଙ୍କ ଅନୁମୋଦନ ପରେ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ ହେବ ବୋଲି ଗୁରୁବାର ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।