ବାରବାଟୀ ଷ୍ଟାଡିୟମ୍ରେ ଅନ୍ତର୍ଜାତୀୟ ମ୍ୟାଚରେ ଏଭଳି ସ୍ଥିତି ଆଗରୁ କେବେ ଦେଖିବାକୁ ମିଳିନଥୁଲା। ଟିକେଟର ଏତେ ଚାହିଦା ବଢିଯିବ ସେ କଥା କେହି ବି ଆକଳନ କରିନଥିଲେ। ସ୍ଥିତି ଏମିତି ହେଲା ଯେ, ୯ ଶହ ଟଙ୍କିଆ ଗ୍ୟାଲେରୀ ଟିକେଟ୍ ବୁଧବାର ରାତିରେ ୩ ହଜାର ଟଙ୍କାରେ ବିକ୍ରି ହୋଇଛି। ଅନ୍ୟପଟେ ଟିକେଟ୍ ବ୍ୟାପକ ଅବ୍ୟବସ୍ଥା ନେଇ ଅଭିଯୋଗ ଆସିଛି । ଆଶା ଠାରୁ ଅଧିକ ଲୋକ ଆସିବାରୁ ଭିଡ଼ ନିୟନ୍ତ୍ରଣ କରିବାରେ ପୁଲିସକୁ ସମସ୍ୟା ହୋଇଥିଲା । ତେବେ ପରବର୍ତ୍ତୀ ସମୟରେ ସ୍ଥିତି ସ୍ବାଭାବିକ ହୋଇଥିଲା । ତେବେ ସନ୍ଧ୍ୟାରେ ଟିକେଟ୍ କାଉଣ୍ଟରରେ ଭିଡ଼ ପୁଣି ବଢ଼ିଥିଲା । କଳେ ବଳେ କୌଶଳେ ଟିକେଟ୍ ପାଇବା ପାଇଁ କାଉଣ୍ଟର ଆଡ଼କୁ ଜୋର ଜବରଦସ୍ତି ଧସେଇ ପଶିଥିଲେ କିଛି ଲୋକେ ।
ଯାହାକୁ କାବୁ କରିଥିଲା ପୁଲିସ । ତେବେ ସେହିପରି ୧୧ ଶହ ଟଙ୍କିଆ ଗ୍ୟାଲେରୀ ଟିକେଟ ମୂଲ୍ୟ ୫ ହଜାର ଯାଏ ଗଲାଣି। ଏଭଳି କଳାବଜାର ଖୋଲାଖୋଲି ଚାଲିଥିଲେ ବି ପୋଲିସ ତରଫରୁ କିଛି ପଦକ୍ଷେପ ନିଆଯାଇନାହିଁ। ଗୁରୁତ୍ଵପୂର୍ଣ୍ଣ ହେଲା, ବୁଧବାର ବାରବାଟୀ ଷ୍ଟାଡିୟମ୍ କାଉଣ୍ଟର ସାମ୍ନାରେ ଟିକେଟ କିଣି କିଛି ଅସାଧୁ ବ୍ୟକ୍ତି ବ୍ଲାକ କରୁଥିବା ଦେଖିବାକୁ ମିଳିଥିଲା।। ଓଏଲଏକ୍ସ ଓ ଫେସବୁକରେ ଟିକେଟ ବ୍ଲାକ କରୁଛନ୍ତି ଦଲାଲ । ଉଭୟ ଅନଲାଇନ ଓ ଅଫଲାଇନରେ ଟିକେଟ ସରିଯାଇଥିବା କୁହାଯାଉଥିବା ବେଳେ ଅନଲାଇନରେ ଟିକେଟ ବ୍ଲାକ ହେବା ଆରମ୍ଭ ହେଲାଣି ।