ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଛି ସ୍ୱାସ୍ଥ୍ୟ ସେବାର ଏପରି ବିକଳ ଚିତ୍ର। ଯାହାକୁ ନେଇ ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।। ଗର୍ଭବତୀ ମହିଳା ଜଣକ ହେଲେ ଡିଗିସିରା ଗାଁ ର ରବୀନ୍ଦ୍ର ଜାନୀଙ୍କ ପତ୍ନୀ ରଞ୍ଜିତା ଜାନି । ତାଙ୍କୁ ଗୁରୁତର ଅବସ୍ଥାରେ ପୁରୁଣା କଟକ ଗୋଷ୍ଠୀ ଚିକିତ୍ସାକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ବୌଦ୍ଧ ଜିଲ୍ଲାର ଡିଗିସିରା ଗାଁର ରବୀନ୍ଦ୍ର ଜାନୀଙ୍କ ପତ୍ନୀ ରଞ୍ଜିତା ଜାନିଙ୍କୁ ସକାଳୁ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଏହା ଦେଖି ପରିବାର ଲୋକେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଖବର ପାଇ ଆମ୍ବୁଲାନ୍ସ ଆସି ଥିଲେ ସୁଦ୍ଧା ଗାଁ କୁ ଯାଇ ପାରିନଥିଲା । ଗାଁ କୁ ଆମ୍ବୁଲାନ୍ସ ଯିବା ପାଇଁ ବାଟ ଅଟକାଇ ଥିଲା ଲକ୍ଷ୍ମୀ ନାଳ । ଆଉ ଗାଁ କୁ ଯାଇ ପାରିନଥିଲା ଆମ୍ବୁଲାନ୍ସ । ଏକ କିଲୋମିଟର ଦୂର ରେ ଅଟକି ରହିଥିଲା । ପରେ ଆମ୍ବୁଲାନ୍ସ କର୍ମଚାରୀ ମାନେ ଗାଁ କୁ ନାଳ ଡେଇଁ ଚାଲି ଚାଲି ଯାଇଥିଲେ । ପରେ ଗ୍ରାମବାସୀ ଓ ଆମ୍ବୁଲାନ୍ସ କର୍ମଚାରୀମାନେ ମିଶି ବାଧ୍ୟ ହୋଇ ପ୍ରସବାଙ୍କୁ ଖଟିଆ ରେ ବୋହି ଏକ କିଲୋମିଟର ବାଟ ଆଣିଥିଲେ । ଆଉ ଆଣ୍ଠୁଏ ପାଣିରେ ବିପଦପୂର୍ଣ୍ଣ ଭାବେ ନାଳ ପାର କରାଇଥିଲେ। ତା’ପରେ ଆମ୍ୱୁଲାନ୍ସରେ ପ୍ରସୂତିଙ୍କୁ ନେଇ ପୁରୁଣାକଟକ ମେଡିକାଲ୍ରେ ଭର୍ତ୍ତି କରିଥିଲେ। ଏବେ ମେଡିକାଲ୍ରେ ରଞ୍ଜିତାଙ୍କ ଚିକିତ୍ସା ଚାଲିଛି।ଦେଶ ସ୍ୱାଧୀନ ହେବାକୁ ଏତେ ବର୍ଷ ବିତିଲା। ହେଲେ ଦୁଃଖ ଓ ପରିତାପର ବିଷୟ ଆଜି ପର୍ଯ୍ୟନ୍ତ ଏହି ଗାଁକୁ ଭଲ ରାସ୍ତା ଖଣ୍ଡିଏ ହୋଇପାରିଲା ନାହିଁ। ସବୁଠାରୁ ବଡ଼ କଥା ହେଲା ଗାଁକୁ ସଂଯୋଗ କରୁଥିବା ଆବୁଡାଖାବୁଡା ରାସ୍ତାରେ ପ୍ରତିବନ୍ଧକ ସାଜିଛି ଲକ୍ଷ୍ମୀ ନାଳ। ଏହି ନାଳ ଉପରେ ବ୍ରିଜ୍ଟିଏ କରିବା ପାଇଁ ଗାଁ ଲୋକେ ପ୍ରଶାସନଠାରୁ ଆରମ୍ଭ କରି ନେତାଙ୍କ ପାଖରେ କେତେ ଗୁହାରୀ କରିଛନ୍ତି। ହେଲେ କେହି ଗାଁ ଲୋକଙ୍କ ଗୁହାରୀ ଶୁଣୁନାହାନ୍ତି।