ପୁଅ ଜନ୍ମ ହେଲେ ୧୦ ହଜାର । ଝିଅ ଜନ୍ମ ହେଲେ ମିଳିବ ୧୨ ହଜାର ।

ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ମମତା ଯୋଜନା ସହିତ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ମିଳିତ ଭାବେ (Co-Branding) କାର୍ଯ୍ୟକାରୀ କରାଯିବ । ଏଥିରେ କନ୍ୟା ସନ୍ତାନ ଜନ୍ମ ପାଇଁ ଗର୍ଭବତୀମାନଙ୍କୁ ବର୍ଷକୁ ଅଧିକ ୨ ହଜାର ଟଙ୍କା ପ୍ରଦାନ କରାଯିବ । ଗର୍ଭବତୀ, ପ୍ରସୂତି ମହିଳା ମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ତଥା କନ୍ୟା ସନ୍ତାନ ଜନ୍ମକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।ଆହୁରି ମଧ୍ୟ, ଏହି ଯୋଜନାରେ ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ ୧୦ ହଜାର ଟଙ୍କା ପ୍ରଦାନ କରାଯିବ। ସର୍ବାଧିକ ଦୁଇଟି ସନ୍ତାନ ଜନ୍ମ କ୍ଷେତ୍ରରେ ଏହି ସହାୟତା ମିଳିବ ।

ତେବେ ପିଭିଟିଜିମାନଙ୍କ କ୍ଷେତ୍ରରେ ଦୁଇଟି ସନ୍ତାନ ସୀମା ଲାଗୁ ହେବ ନାହିଁ । ରାଜ୍ୟ ସରକାରଙ୍କ ଏହି ଯୋଜନାରେ ସହାୟତା କରୁଥିବା ଅଙ୍ଗନବାଡି କର୍ମୀମାନଙ୍କୁ ମଧ୍ୟ ଏଣିକି, ୨ ଶହ ଟଙ୍କା ବଦଳରେ ୨ଶହ ୫୦ ଟଙ୍କା ମିଳିବ । ଏହାସହ ଅଙ୍ଗନବାଡି ସହାୟକଙ୍କୁ ୫୦ ଟଙ୍କା ବଦଳରେ ପ୍ରୋତ୍ସାହନ ରାଶି ଭାବେ ୧୫୦ ଟଙ୍କା ମିଳିବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ଆସନ୍ତା ଆର୍ଥିକ ବର୍ଷରେ ୫୧୧ କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିପାଇଁ କେନ୍ଦ୍ର ସରକାର ୧୧୫ କୋଟି ଟଙ୍କା ଦେବାକୁ ଥିବାବେଳେ, ରାଜ୍ୟ ସରକାର ୩୯୫ କୋଟି ଟଙ୍କା ଯୋଗାଇବେ । ଏହାଦ୍ୱାରା ପ୍ରାୟ ୪ ଲକ୍ଷ ୫୦ ହଜାର ଗର୍ଭବତୀ ଓ ପ୍ରସୂତି ମହିଳା ଉପକୃତ ହେବାର ସମ୍ଭାବନା ରହିଛି ।

ଅଧିକ ପଢନ୍ତୁ

Odisha Darpan Digital