ବୁଧବାର ରାଜ୍ୟ ସରକାରଙ୍କ ଆପାର୍ଟମେଣ୍ଟ ପଞ୍ଜିକରଣ ସମ୍ପର୍କିତ ବିଜ୍ଞପ୍ତି ଉପରେ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ । ଗୃହ ଓ ନଗର ନିର୍ମାଣ ବିଭାଗ ଦ୍ବାରା ଅଣାଯାଇଥିବା ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ପକ୍ଷରୁ ରହିତାଦେଶ ଜାରି ହୋଇଛି । ଫେବୃଆରୀ ୧ରେ ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ଜାରି କରାଯାଇଥିଲା ।୨୦୧୭ ମସିହା ପୂର୍ବରୁ ନିର୍ମାଣ ସରିଥିବା ଆପାର୍ଟମେଣ୍ଟ ଗୁଡ଼ିକର ପଞ୍ଜିକରଣ ହେବ ।
ବିନା ଆପାର୍ଟମେଣ୍ଟ ଆଇନ୍ ଅନୁଯାୟୀ କରିହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ଥିଲା । କିନ୍ତୁ ରେରା ଆଇନ୍ ଆସିବା ପୂର୍ବରୁ ଶେଷ ହୋଇଥିବା ଆପାର୍ଟମେଣ୍ଟ ମଧ୍ୟ ରେରା ଆଇନ୍ ପରିସରଭୁକ୍ତ ହେବାର ଆବଶ୍ୟକତା ଅଛି ବୋଲି ଆବେଦନକାରୀ ବିମଳେନ୍ଦୁ ପ୍ରଧାନଙ୍କ ପକ୍ଷରୁ ଯୁକ୍ତି ରଖାଯାଇଥିଲା । ଯାହାକୁ କୋର୍ଟ ଗ୍ରହଣ କରିବା ସହିତ ସରକାରୀ ବିଜ୍ଞପ୍ତି ଉପରେ ଅଙ୍କୁଶ ଜାରି କରିଛନ୍ତି ଏବଂ ଆସନ୍ତା ବୁଧବାର ସୁଦ୍ଧା ଜବାବ ରଖିବା ଲାଗି ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ହୋଇଛି । ଆସନ୍ତା ବୁଧବାର ଦିନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନା ଓ ଜଷ୍ଟିସ ମୃଗାଙ୍ଗ ଶେଖର ସାହୁଙ୍କ ଖଣ୍ଡପୀଠ ଏହି ରହିତାଦେଶ ଦେଇଛନ୍ତି ।