ଯୌତୁକ ମିଳିଲାନି ବୋଲି ନିଜ ବୋହୂକୁ ଏଚଆଇଭି ଇଞ୍ଜେକସନ ଦେବାକୁ ପଛାଇଲେନି ଶ୍ୱଶୁରଘର ଲୋକ।

ଏକ ଏକ୍ସୟୁଭି କାର୍‌ ଏବଂ ୨୫ ଲକ୍ଷ ଟଙ୍କା ଯୌତୁକ ଦାବି କରି ଶାଶୁଘର ଲୋକେ ଝିଅକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଏପରି କି ଦାବି ପୂରଣ ନ ହେବାରୁ ସେମାନେ ଝିଅକୁ ଏଚ୍‌ଆଇଭି ସଂକ୍ରମିତ ଛୁଞ୍ଚିରେ ଇଞ୍ଜେକ୍‌ଶନ ଦେଇଦେଲେ। ଝିଅ ଏବେ ଏଚ୍‌ଆଇଭି ପଜିଟିଭ ସଂକ୍ରମିତ ବୋଲି ସଙ୍ଗିନ ଅଭିଯୋଗ ଆଣିଛନ୍ତି ଜଣେ ବାପା।ୟୁପିର ସାହାରନପୁର ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି।ଏନେଇ ସାହାରନପୁର ଏସପି କହିଛନ୍ତି, “ପିଡିତା ସାହାରନପୁରର ବାସିନ୍ଦା। ଘଟଣାରେ ଆମେ ତାଙ୍କ ସ୍ୱାମୀ, ଦିଅର, ଭାଉଜ, ନଣନ୍ଦ ଏବଂ ଶାଶୁଙ୍କ ବିରୋଧରେ ଆଇପିସି ଧାରା ୩୦୭, ୪୯୮ଏ, ୩୨୩, ୩୨୮, ୪୦୬ ଯୌତୁକ ଧାରା ଅନୁଯାୟୀ ଗଙ୍ଗୋହ ଥାନାରେ ଏକ ଏଫଆଇଆର ଦାଖଲ କରିଛୁ।ମିଳିଥିବା ସୂଚନାନୁସାରେ, ସାହାରନ୍‌ପୁର ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କ ଝିଅ ରଶ୍ମି(ଛଦ୍ମନାମ)ଙ୍କ ଉତ୍ତରାଖଣ୍ଡର ହରିଦ୍ୱାରରେ ରହୁଥିବା ଅଭିଷେକ ଓରଫ ସଚିନ୍‌ଙ୍କ ସହିତ ୨୦୨୩ ଫେବୃଆରୀ ୧୫ରେ ବିବାହ ଦେଇଥିଲେ। ବିବାହ ସମୟରେ ଏକ କାର୍‌ ଏବଂ ୧୫ଲକ୍ଷ ଟଙ୍କା ଯୌତୁକ ଭାବେ ବର ପକ୍ଷଙ୍କୁ ଦିଆଯାଇଥିଲା। ଏହା ସତ୍ତ୍ୱେ ଶ୍ୱଶୁର ଘର ଲୋକେ ରଶ୍ମିଙ୍କ ଉପରେ ସନ୍ତୁଷ୍ଟ ନ ଥିଲେ। ଅଧିକ ଯୌତୁକ ଦାବି କରି ବିଭିନ୍ନ ସମୟରେ ତାଙ୍କୁ ଶାରୀରିକ ଏବଂ ମାନସିକ ଯନ୍ତ୍ରଣା ଦେଇଆସୁଥିଲେ। ଏପରି କି ବାପଘରୁ ଏକ ଏକ୍ସୟୁଭି କାର୍‌ ଏବଂ ୨୫ଲକ୍ଷ ଟଙ୍କା ଯୌତୁକ ଆଣିବାକୁ ରଶ୍ମିଙ୍କ ଉପରେ ଚାପ ପକାଉଥିଲେ।

ଯେତେବେଳେ ରଶିଙ୍କ ବାପା ଏତେ ଅଧିକ ଡିମାଣ୍ଡ ଦେବାକୁ ମନା କଲେ, ଶାଶୁଘର ଲୋକ ରଶ୍ମିଙ୍କୁ ଘରୁ ବାହାର କରିଦେଇଥିଲେ। ପରେ ହରିଦ୍ୱାରର ଜଶ୍ୱଓ୍ବାଲା ପଞ୍ଚାୟତର ନିଷ୍ପତ୍ତି କ୍ରମେ ରଶ୍ମିଙ୍କୁ ଶାଶୁଘର ଲୋକ ଗ୍ରହଣ କରିଥିଲେ। ହେଲେ ଏହାର କିଛି ଦିନ ପରଠାରୁ ପୁଣି ନିର୍ଯାତନା ଆରମ୍ଭ ହୋଇଥିଲା। ଏପରି କି ଝିଅକୁ ମାରିଦେବାକୁ ଷଡ଼ଯନ୍ତ୍ର କରି ଶ୍ୱଶୁରଘର ଲୋକେ ଏଚ୍‌ଆଇଭି ସଂକ୍ରମିତ ଛୁଞ୍ଚିରେ ଇଞ୍ଜେକ୍‌ଶନ ଦେଇଥିଲେ ବୋଲି ରଶି୍ମଙ୍କ ବାପା ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ପୀଡିତାଙ୍କ ବାପାମାଆ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଅଧିକ ପଢନ୍ତୁ