ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବହଳଦା ଏସଵିଆଇ ଶାଖାରୁ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଏହି ଘଟଣାରେ ଦୁଇ ବ୍ୟାଙ୍କ କର୍ମଚାରୀ ଗୁରୁତର ହୋଇଥିବା ଜଣାଯାଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।ସୂଚନା ଅନୁସାରେ ଆଜି ସକାଳୁ ବ୍ୟାଙ୍କ୍ ଖୋଲିବାର କିଛି ସମୟ ପରେ ୫ ଜଣ ଦୁର୍ବୃତ୍ତ ୨ଟି ବାଇକରେ ଆସି ବ୍ୟାଙ୍କକୁ ପହଞ୍ଚିଥିଲେ । ୩ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ବ୍ୟାଙ୍କ ମଧ୍ୟକୁ ପ୍ରବେଶ କରିଥିବା ବେଳେ ୨ ଜଣ ବାହାରେ ଜଗିଥିଲେ । ବ୍ୟାଙ୍କ ଭିତରକୁ ପଶି ବନ୍ଧୁକ ଦେଖାଇ କର୍ମଚାରୀ ଓ ଗ୍ରାହକଙ୍କୁ ଭୟଭୀତ କରାଇ ଟଙ୍କା ଲୁଟିଥିଲେ। ବାଧା ଦେବାରୁ ବ୍ୟାଙ୍କ ମ୍ୟାନେଜରଙ୍କ ସମେତ ଅନ୍ୟ ଜଣେ କର୍ମଚାରୀଙ୍କୁ ମାଡ଼ ମାରିଥିଲେ । ଆଖି ପିଛୁଳାକେ ୩୦ ଲକ୍ଷରୁ ଅଧିକ ଟଙ୍କା ନେଇ ବାଇକ ଯୋଗେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ ।ଲୁଟ ପରେ ବ୍ୟାଙ୍କରେ ଲାଗିଥିବା ସିସିଟିଭି କ୍ୟାମେରାର ହାର୍ଡ ଡିସ୍କ ମଧ୍ୟ ନେଇଯାଇଛନ୍ତି ଦୁର୍ବୃତ୍ତ ।
ସେମାନେ ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟକୁ ଫେରାର ହୋଇଯାଇଥିବା ଜଣାପଡିଛି। ଉକ୍ତ ଘଟଣା ପ୍ରାୟ ସକାଳ ୧୦.୧୫ ମିନିଟ୍ ସମୟରେ ଘଟିଛି। ତେବେ ସେହି ସମୟରେ ବ୍ୟାଙ୍କରେ କୌଣସି ସିକ୍ୟୁରିଟି ଗାର୍ଡ ନ ଥିବା ଜଣାପଡିଛି ।ସମସ୍ତ ଅଭିଯୁକ୍ତ ହିନ୍ଦୀରେ କଥାବାର୍ତ୍ତା କରୁଥିଲେ। ଘଟଣାସ୍ଥଳରେ ରାଇରଙ୍ଗପୁର ଅତିରିକ୍ତ ଏସପି, ଏସଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଆହତ ୨ବ୍ୟାଙ୍କ କର୍ମଚାରୀଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବ୍ୟାଙ୍କ ସୁରକ୍ଷାକର୍ମୀମାନେ ଆସିବା ପୂର୍ବରୁ କିଭଳି ବ୍ୟାଙ୍କକୁ ଖୋଲାଗଲା ତାକୁ ନେଇ ପ୍ରଶ୍ନ ଉଠିଛି ।