ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବଣ୍ଟା ହୋଇଛି ସୁଭଦ୍ରାର ଦ୍ବିତୀୟ କିସ୍ତି । ଏକକାଳୀନ ୧ କୋଟି ୬୪ ହଜାର ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯାଇଛି ଟଙ୍କା । ବ୍ରହ୍ମପୁର ଆମ୍ବପୁଆରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ଗତ ସେପ୍ଟେମ୍ୱର ୧୭ ତାରିଖରେ ରାଜ୍ୟରେ ସୁଭଦ୍ରା ଯୋଜନା ଆରମ୍ଭ କରିଥିଲେ । ଏଯାଏଁ ୫ଟି ପର୍ଯ୍ୟାୟରେ ୧ କୋଟି ୬୪ ହଜାର ମହିଳା ପ୍ରଥମ କିସ୍ତି ସହାୟତା ରାଶି ପାଇଥିଲେ । ଶନିବାର ସେମାନେ ପୁଣି ୫ ହଜାର ଟଙ୍କା ପାଇଛନ୍ତି । ସେପଟେ ମାର୍ଚ୍ଚ ୩୧ ସୁଭଦ୍ରା ଆବେଦନର ଶେଷ ତାରିଖ ହୋଇଥିବା ବେଳେ ସେବେଠାରୁ ଚାଲିବ ସର୍ଭେ । ସୁଭଦ୍ରାରୁ ବଞ୍ଚିତ ହିତାଧିକାରୀଙ୍କୁ ଡୋର ଟୁ ଡୋର ସର୍ଭେ କରିବେ ମିଶନ ଶକ୍ତି ମହିଳା । ତେବେ ରାକ୍ଷୀ ପୂର୍ଣ୍ଣିମାରେ ଏକାଥରକେ ୩ଟି କିସ୍ତି ଅର୍ଥାତ ୧୫ ହଜାର ଟଙ୍କା ମିଳିବ । ଜଣେ ବି ଯୋଗ୍ୟ ହିତାଧିକାରୀ ଯେପରି ଯୋଜନାରୁ ବାଦ୍ ପଡ଼ିବେନି ତାକୁ ଗୁରୁତ୍ୱ ଦେଇ ସରକାର ସବୁପ୍ରକାର ଅନୁକୂଳ ପଦକ୍ଷେପ ନେଉଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।
