ଗିରଫ ହେଲେ କୁବେର ସରକାରୀ ବାବୁ ସୂର୍ଯ୍ୟମଣି ପାଟଯୋଶୀ । ଜଟଣୀ ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ହେଉଛନ୍ତି ସୂର୍ଯ୍ୟମଣି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଛନ୍ତି ।ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଭିଜିଲାନ୍ସର ୧୦ଟି ଟିମ୍ ଗତକାଲି ଶ୍ରୀ ପାଟ୍ଟଯୋଶୀଙ୍କ ବାସଭବନ ସମେତ ୧୦ଟି ସ୍ଥାନରେ ଚଢ଼ଉ କରିଥିଲା । ଚଢ଼ଉ ବେଳେ ନଗଦ ୧୭ ଲକ୍ଷ ଟଙ୍କା ସହିତ ୧୧ଟି ଦାମୀ ପ୍ଲଟ୍ର ରେକର୍ଡପତ୍ର ଜବତ କରାଯାଇଥିଲା।
ପ୍ରାଥମିକ ଆକଳନ ଅନୁସାରେ ତାଙ୍କ ନିକଟରୁ ୧୩ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି, ଭୁବନେଶ୍ଵରରେ ୪ଟି ବହୁ ମୁଲ୍ୟର ଫ୍ଲାଟ୍, ବ୍ରହ୍ମପୁରରେ ୨ଟି ବହୁ ତଳ ବିଶିଷ୍ଟ କୋଠା, ୧୧ଟି ଦାମୀ ପ୍ଲଟ୍ ଠାବ ହୋଇଛି। ସେହିପରି ୧୫୦ଗ୍ରାମର ସୁନା ଅଳଙ୍କାର, ନଗଦ ୧୭ଲକ୍ଷ ଟଙ୍କା, ଗୋଟିଏ କାର ଓ ୩ଟି ବାଇକ୍ ଜବତ କରାଯାଇଛି। ଏହାଛଡ଼ା ୨୦ଟି ବ୍ୟାଙ୍କ ଆକାଉଣ୍ଟ, ପୋଷ୍ଟାଲ ଡିପୋଜିଟ୍ ଆଦି ଠାବ କରାଯାଇଛି। ବ୍ୟାଙ୍କରେ ୭୬.୧୫ଲକ୍ଷ ଟଙ୍କା ଜମା ଥିବା ଜଣାପଡ଼ିଛି।ସୂର୍ଯ୍ୟମଣୀ ଜଣେ ଅଭ୍ୟାସଗତ ଦୁର୍ନୀତିଖୋର ବୋଲି ପ୍ରମାଣ ଅଛି ବୋଲି ଭିଜିଲାନ୍ସ କହିଛି । ତାଙ୍କ ନାଁରେ ପୂର୍ବରୁ ଦୁର୍ନୀତିର ଅଭିଯାଗ ଥିଲା . ଯେଉଁ କାରଣରୁ ତାଙ୍କର ଇନ୍କ୍ରିମେଣ୍ଟ ରୋକାଯାଇଥିବା କହିଛି ଭିଜିଲାନ୍ସ । ତେବେ ଗତ ୨ ଦିନ ଭିତରେ ସୂର୍ଯ୍ୟମଣିଙ୍କ ଠାରୁ ଯାହା କିଛି ଜବତ ହୋଇଛି, ତାହା ତାଯୁବ କଲାଭଳି ।