ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଏକ ସପ୍ତାହ ସ୍ଥଗିତ ରହିବା ପରେ ଏହାକୁ ପୁନଃ ଆରମ୍ଭ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ବିସିସିଆଇ। ଚଳିତମାସ ୧୬ (ଶୁକ୍ରବାର)ଠାରୁ ଆଇପିଏଲ୍ ଆରମ୍ଭହେବ। ଏହାର ଫାଇନାଲ ମ୍ୟାଚ୍ ନିର୍ଦ୍ଧାରିତ ଦିନର ସପ୍ତାହକ ପରେ; ଅର୍ଥାତ୍ ମେ’ ୩୦ କିମ୍ବା ଜୁନ୍ ୧ରେ ଖେଳାଯିବ। ପୂର୍ବ ପରି ବିଭିନ୍ନ ସହରର ମ୍ୟାଚ୍ସବୁ ଖେଳାଯିବ। ଏହା ବିଷୟରେ ୧୦ଟିଯାକ ଫ୍ରାଞ୍ଚାଇଜି ଦଳଙ୍କୁ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି।ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତି ଯୋଗୁଁ ଗୁରୁବାରଠାରୁ ଆଇପିଏଲ୍ ସ୍ଥଗିତ ରହିଛି। ତେବେ ଉଭୟ ଦେଶଙ୍କ ମଧ୍ୟରେ ଅସ୍ତ୍ରବିରତି ଯୋଗୁଁ ଆଇପିଏଲ୍କୁ ପୁଣି ଆରମ୍ଭ କରିବାର ବାଟ ଖୋଲିଛି। ମେ’ ୩୦ କିମ୍ବା ଜୁନ୍ ୧ ସୁଦ୍ଧା ଏହି ଟୁର୍ଣ୍ଣାମେଣ୍ଟକୁ ସାରିବା ପରେ ଦିନକୁ ୨ଟି ମ୍ୟାଚ୍ର ସଂଖ୍ୟା ବଢ଼ାଇବାକୁ ବିସିସିଆଇ ଚିନ୍ତାକରୁଛି। ଯେତେ ଜଲ୍ଦି ସାନି ଖେଳସୂଚୀ ଘୋଷଣା କରାଯିବ; ସେତେ ଜଲ୍ଦି ଫ୍ରାଞ୍ଚାଇଜିମାନେ ସେମାନଙ୍କ ବିଦେଶୀ ଖେଳାଳିଙ୍କୁ ଭାରତ ଡକାଇ ପାରିବେ। ତେବେ ସାନି ଖେଳସୂଚୀ ଘୋଷଣା ପୂର୍ବରୁ ଭାରତ ସରକାରଙ୍କଠାରୁ ସ୍ପଷ୍ଟତା ମାଗିଛି ବିସିସିଆଇ। ଏଣେ ଫ୍ରାଞ୍ଚାଇଜିମାନଙ୍କ ପାଇଁ ବଡ଼ ଆହ୍ବାନ ହେବ ବିଦେଶୀ ଖେଳାଳିଙ୍କୁ ପୁଣି ଭାରତ ଡକାଇବା। କିଛି ଖେଳାଳି ଭାରତରେ ରହିବାକୁ ରାଜି ହୋଇଥିବା ବେଳେ ଅଧିକାଂଶ ଖେଳାଳି ସ୍ବଦେଶ ଫେରି ଯାଇଛନ୍ତି।
