ବିହନ ମେଳାରେ ବିହନ ଅଦଳ ବଦଳ କଲେ ରାୟଗଡା ଜିଲ୍ଲା କାଶୀପୁର ଚାଷୀ

୨୬.୦୫.୨୫, ଆଜି ରାୟଗଡା ଜିଲ୍ଲା କାଶିପୁର ବ୍ଲକ ମାଣ୍ଡିବିଶି ପଞ୍ଚାୟତର କେନ୍ଦୁଗୁଡ଼ା ଗ୍ରାମରେ ଏକ ବିହନ ମେଳା ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ଶତାଧିକ ମହିଳା ଓ ପୁରୁଷ ଆଦିବାସୀ ଓ ଅନ୍ୟାନ୍ୟ ବର୍ଗର ଚାଷୀ ଏକାଠି ହୋଇ ନିଜ ନିଜ ଭିତରେ ପାରମ୍ପରିକ ଦେଶୀ ବିହନ ଅଦଳ ବଦଳ କରିଛନ୍ତି।
ଆଦିବାସୀଙ୍କ ପାଇଁ ବିହନ କିଣା ବିକାର ଏକ ସାମଗ୍ରୀ ନୁହେଁ। ବିହନ ଆଦିବାସୀଙ୍କ ପାଇଁ ସଂସ୍କୃତି। ବିହନ ଆଦିବାସୀଙ୍କ ପରିଚୟ। ତେଣୁ ଆଦିବାସୀମାନେ ବିହନ କିଣାବିକା ନକରି ପରସ୍ପରଙ୍କ ସହିତ ଅଦଳ ବଦଳ କରି ଚାଷବାସ କରନ୍ତି। କିନ୍ତୁ ଦୁର୍ଭାଗ୍ୟଜନକ ଭାବେ ଆଧୁନିକ ଚାଷ ବ୍ୟବସ୍ଥା ଯୋଗୁ ଆଜି ଚାଷୀ ମାନଙ୍କର ଦେଶୀ ପାରମ୍ପରିକ ବିହନ ବୁଡିଗଲାଣି। ଯେଉଁ ଆଦିବାସୀଙ୍କ ପାଖରେ ଏକାଧିକ ପ୍ରକାର ମାଣ୍ଡିଆ, କୋଶଳା, କାଙ୍ଗୁ, ଜନା, ମକା, ଗାନ୍ଥିଆ, ବାଜରା, କାନ୍ଦୂଲ ବିହନ ଥିଲା, ସେସବୁ ଏବେ ଅଧିକାଂଶ ବୁଡିଗଲାଣି।

ଆଦିବାସୀଙ୍କ ପାରମ୍ପରିକ ବିହନରେ ଖରା ଓ ବର୍ଷା ସହଣୀ ଶକ୍ତି ଥିଲା ଓ ରୋଗ ପୋକକୁ ବି ସେସବୁ ବିହନ ପ୍ରତିହତ କରିପାରୁଥିଲା। ବିହନକୁ ନେଇ ଆଦିବାସୀଙ୍କ ଜୀବନ ଶୈଳୀରେ ବିଭିନ୍ନ ପ୍ରକାର ପରବ ଓ ଉତ୍ସବ ବି ଯୋଡ଼ି ହୋଇଥିଲା। କିନ୍ତୁ ଆଜି ସେସବୁ ବିହନ ବୁଡିଯିବା ଯୋଗୁ ଆଦିବାସୀ ଚାଷୀମାନେ ବହୁତ କ୍ଷତି ସହୁଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁ ବାରମ୍ବାର ଫସଲ ହାନୀ ହେଉଛି। ବର୍ତ୍ତମାନର ହାଇବ୍ରିଡ ଓ ହାଇ-ୟିଲ୍ଡିଙ୍ଗ ବିହନରୁ ପର ବର୍ଷ ପାଇଁ ବିହନ ସଂରକ୍ଷଣ କରି ରଖିବା ସମ୍ଭବ ହେଉନାହିଁ। ତେଣୁ ଏପରି ପରିସ୍ଥିତିରେ ପୁନଶ୍ଚ ବିହନ ସ୍ଵାଧୀନତା ଫେରେଇ ଆଣିବା ପାଇଁ ଲିଭିଂ ଫାର୍ମସ ଅନୁଷ୍ଠାନ ସହାୟତାରେ କାଶିପୁରର ଆଦିବାସୀ ଚାଷୀମାନେ କାର୍ଯ୍ୟରତ ଅଛନ୍ତି। ଏହି କ୍ରମରେ ଆଜି ଆୟୋଜିତ ହୋଇଥିବା ବିହନ ମେଳାରେ ଅନୁଷ୍ଠାନର ଅନିଲ ଲିମା, ଜଗନ୍ନାଥ ମାଝୀ,  ବିଚିତ୍ର ବିଶ୍ଵାଳ, ବସୁନ୍ଧରା ସଂସ୍ଥାର ପ୍ରମୋଦ ପ୍ରଧାନ, ବିହନ ସଂରକ୍ଷକ ଲୋକନାଥ ନାଉରୀ, ଦୁଲାଲ୍ ଭଟ୍ଟାଚାର୍ଯ୍ୟ, ସି.ୱାଇ.ଏସ.ଡି.ର ନିର୍ମାଣର ସନ୍ତୋଷ ପରିଡ଼ା ଆଦି ଯୋଗଦେଇ ଦେଶୀ ବିହନର ସଂରକ୍ଷଣ ଓ ଆଦାନ ପ୍ରଦାନ ଉପରେ ଗୁରୁତ୍ବ ଦେଇଥିଲେ। ଶିର୍ଲିଯୋଡି ର ତିଲାଇ ମାଝୀ, କଣ୍ଟାମାଳର ସଂଜିତ ମାଝୀ, କେନ୍ଦୁଗୁଡ଼ାର କୁମି ମାଝୀ, ପ୍ରହଲ୍ଲାଦ ନାୟକ, କୁମାଖାଲର ଆଳମାଇ ମାଝୀ, ଆଲିଗୁନାର ଦିପଙ୍ଗଦେଇ ମାଝୀ  ଆଦି ଯୋଗ ଦେଇ ଆଦିବାସୀଙ୍କ ପାଇଁ ବିହନ ସଂରକ୍ଷଣ ଓ ବିହନ ମେଳାର ଗୁରୁତ୍ଵ ବିଷୟରେ ମତ ପ୍ରକାଶ କରିଥିଲେ। ଏହି ବିହନ ମେଳା ଏଇଠି ଶେଷ ନହୋଇ ଆଗାମୀ ଦିନରେ ବିହନ ସଂରକ୍ଷଣ ଓ ବିହନ ଅଦଳ ବଦଳ ସଂସ୍କୃତିର ପୁନଃ ପ୍ରତିଷ୍ଠା ହେବା ଯାଏ ଜାରି ରହିବ ବୋଲି ଆଦିବାସୀ ଚାଷୀମାନେ ମତବ୍ୟକ୍ତ କରିଛନ୍ତି। ବିହନ ମେଳାରେ ଚାଷୀମାନେ ପରସ୍ପରଙ୍କ ଭିତରେ ପ୍ରାୟ ଚାଳିଶରୁ ଅଧିକ ପ୍ରକାର ଦେଶୀ ଧାନ, ମାଣ୍ଡିଆ ଜାତୀୟ, ଡାଲି ଜାତୀୟ, ତୈଳବୀଜ, ପନିପରିବା ଆଦି ବିହନ ଅଦଳବଦଳ କରିଥିଲେ। ଲିଭିଙ୍ଗ ଫାର୍ମସର ସତ୍ୟଜିତ ଦାସ, ଲଳିତା ମାଝୀ, କୃଷ୍ଣ ମାଝୀ, ଅମିତ, ଗୌର, ବାଲ ସିଂହ, ଶ୍ରୀକାନ୍ତ, କାନ୍ଦୁରୁ, ପବିତ୍ର ଆଦି ବିହନ ମେଳା ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଶେଷରେ ବିହନ କ୍ଷେତ୍ରରେ ସମ୍ପୂର୍ଣ ଅଞ୍ଚଳ ଓ ଆଦିବାସୀ ସମାଜକୁ ଆତ୍ମନିର୍ଭରଶୀଳ କରେଇବାର ଶପଥ ନେବା ସହିତ ଆବଶ୍ୟକୀୟ ବିହନ ନେଇ ଚାଷୀମାନେ ଘରକୁ ଫେରିଥିଲେ।

ଅଧିକ ପଢନ୍ତୁ

kc ads