ଦକ୍ଷିଣ ପଶ୍ଚିମ ମୌସୁମୀ ସୋମବାର ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପହଞ୍ଚିଛି । ଏଥିସହିତ ବିଗତ ୭୫ ବର୍ଷ ମଧ୍ୟରେ ମୁମ୍ବାଇକୁ ସବୁଠୁ ସଅଳ ପ୍ରବେଶ କରିଛି ମୌସୁମୀ । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ଅନୁସାରେ, ସାଧାରଣତଃ ଜୁନ୍ ୧୧ ତାରିଖ ବେଳକୁ ମୌସୁମୀ ମୁମ୍ବାଇରେ ପହଞ୍ଚିଥାଏ । କିନ୍ତୁ ଚଳିତଥର ୧୬ ଦିନ ଆଗୁଆ ପହଞ୍ଚିଛି । ସେପଟେ ମୌସୁମୀ ପ୍ରଭାବରୁ ଭୋର୍ରୁ ମୁମ୍ବାଇ ସମେତ ପୂରା ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ବଜ୍ରପାତ ହେବାର ଆକଳନ କରି ଆଇଏମ୍ଡି ପକ୍ଷରୁ ମୁମ୍ବାଇ ଏବଂ ଏହାର ନିକଟବର୍ତ୍ତୀ ଜିଲା ଠାଣେ, ରାୟଗଡ଼ ଏବଂ ରତ୍ନଗିରି ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି।
ବର୍ଷା ଯୋଗୁ ସହରର ପରିବହନ ଏବଂ ବିମାନ ଚଳାଚଳ ସେବା ବାଧାପ୍ରାପ୍ତ ହୋଇଛି। ମୁମ୍ବାଇରେ ୨୫୦ ବିମାନ ଉଡ଼ାଣ ପ୍ରଭାବିତ ହୋଇଛି। ବର୍ଷା ସ୍ଥିତିକୁ ଦୃଷ୍ଟିରେ ରଖି ସ୍ପାଇସ୍ଜେଟ ଏବଂ ଏୟାରଇଣ୍ଡିଆ ଏୟାରଲାଇନ୍ସ ପକ୍ଷରୁ ନିଜ ପାସେଞ୍ଜରଙ୍କ ପାଇଁ ଆଡ୍ଭାଇଜରି ଜାରି କରାଯାଇଛି। ପୁନେ-ସୋଲାପୁର ରାଜପଥରେ ପାଟସ ଅଞ୍ଚଳରେ ବାଦଲଫଟା ବର୍ଷା ଯୋଗୁ ପୁନେର ବାରାମତୀ ଓ ଇନ୍ଦାପୁରରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା । ରାସ୍ତା ସବୁ ପାଣିରେ ବୁଡ଼ି ଯାଇଥିଲା । ପ୍ରାୟ ୨୦୦ ଘରେ ପାଣି ଭର୍ତ୍ତି ହୋଇଥିଲା । କିଛି ଗାଡ଼ି ବି ଭାସି ଯାଇଥିଲା । ଏନଡିଆରଏଫ୍ର ୨ଟି ଟିମ୍କୁ ସେଠାରେ ମୁତୟନ କରାଯାଇଛି ।ମୁମ୍ବାଇରେ ମୌସୁମୀର ପ୍ରଥମ ଦିନରେ ବର୍ଷା ୧୦୭ ବର୍ଷର ରେକର୍ଡ ଭାଙ୍ଗିଛି । ଆଇଏମ୍ଡିର ତଥ୍ୟ ଅନୁସାରେ, ଆଜି ସକାଳ ୮.୩୦ରୁ ୧୧ଟା ମଧ୍ୟରେ କୋଲାବାରେ ୧୦୫.୨ ଏମ୍ଏମ୍ , ସାନ୍ତାକ୍ରୁଜ୍ରେ ୫୫ ଏମ୍ଏମ୍, ବାନ୍ଦ୍ରାରେ ୬୮.୫ ଏମ୍ଏମ୍, ଜୁହୁ ବିମାନବନ୍ଦରରେ ୬୩.୫ ଏମ୍ଏମ୍, ଚେମ୍ବୁରରେ ୩୮.୫ ଏମ୍ଏମ୍, ଭିଖ୍ରୋଲିରେ ୩୭.୫ ଏମ୍ଏମ୍ ବର୍ଷା ରେକର୍ଡ କରାଯାଇଥିଲା । ସେଥିଯୋଗୁ ଏହି ସବୁ ଅଞ୍ଚଳରେ ଜନଜୀବନ ଏକପ୍ରକାର ଠପ୍ ହୋଇପଡ଼ିଛି ।
