ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ କରିବାର ତାରିଖକୁ ବୃଦ୍ଧି କରାଯାଇଛି। ଏନେଇ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ସୂଚନା ଦେଇଛନ୍ତି। ତେବେ ଶେଷ ତାରିଖକୁ ୩୧ ଜୁଲାଇ ୨୦୨୫ରୁ ବୃଦ୍ଧି କରି ୧୫ ସେପ୍ଟେମ୍ବର ୨୦୨୫ କରିଛନ୍ତି। ଆୟକର ରିଟର୍ଣ୍ଣ ଫର୍ମଗୁଡ଼ିକର ବିଜ୍ଞପ୍ତି ଜାରି କରିବାରେ ବିଳମ୍ବ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ସହିତ, ଆୟକର ବିଭାଗ ଏପର୍ଯ୍ୟନ୍ତ ଆୟକର ରିଟର୍ଣ୍ଣ ଦାଖଲ କରିବା ପାଇଁ ଆବଶ୍ୟକ ଉପଯୋଗିତା ଜାରି କରିନାହିଁ।ରିଟର୍ଣ୍ଣ ଦାଖଲକୁ ସହଜ ଓ ସରଳ କରିବା ପାଇଁ ଚଳିତ ବର୍ଷ ଅର୍ଥାତ୍ ୨୦୨୫-୨୬ ପାଇଁ ଆଇଟିଆର ଫର୍ମରେ କିଛି ପରିବର୍ତ୍ତନ କରାଯାଇଛି। ତେବେ ସିଷ୍ଟମ ଅପଡେଟ୍, ଟିଡିଏସ୍ ଡାଟାର ପରୀକ୍ଷା ଏବଂ ସମାୟୋଜନ ଇତ୍ୟାଦି କାରଣରୁ ପରିବର୍ତ୍ତନଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ଅଧିକ ସମୟ ଲାଗୁଛି।
