ଗଜପତିରେ ହୋମଗାର୍ଡ ପରୀକ୍ଷାରେ ଆଉ ଏକ ଅଘଟଣ ଖବର ଆସିଛି । ଗୁରୁବାର ଦିନ ହୋମଗାର୍ଡ ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା ସମୟରେ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଥିଲା ଓ ଅନ୍ୟ ୭ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ମୃତକ ହେଲେ ଦୀପକ ପାଡ଼ାଲ ।ଆଜି ପ୍ରାୟ ୧୨୦୦ ରୁ ଉର୍ଦ୍ଧ ଆବେଦନକାରୀ ଉପସ୍ଥିତଥିଲେ । ଏଥିରେ ଆବେଦନକାରୀ ମାନଙ୍କୁ ଦୁଇ କିମି ଦୌଡିବାର ଥିଲା । ଯିବା ଆଉ ଆସିବା ଦୁଇ କିମି ରାସ୍ତାରେ ସମସ୍ତ ବନ୍ଦୋବସ୍ତ କରାଯାଇଥିଲା । ଏଥି ପାଇଁ ୬ ଗୋଟି ଟିମ୍ ନିୟୋଜିତ ହୋଇ ସ୍ଥାନେ ସ୍ଥାନେ ପାଣି, ଗ୍ଲୁକୋଜ୍ ଆଦିର ବ୍ୟବସ୍ଥା କରାଯାଇଥିଲା । ଏହି ପରୀକ୍ଷା ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇ ଗୁମ୍ମା ରାସ୍ତାର ପଦ୍ମପୁର ପର୍ଯ୍ୟନ୍ତ ଏକ କିଲୋମିଟର ଗଲାପରେ ସେଠାରୁ ପୁଣି ପ୍ରାରମ୍ଭ ସ୍ଥାନକୁ ଫେରିବାର ଥିଲା ।
ସକାଳୁ ସକାଳୁ ପାଗ ମଧ୍ୟ ଦୌଡକୁଦ ପାଇଁ ଅନୁକୂଳଥିଲା । ଏଥିରେ ପ୍ରଥମ ପର୍ଯ୍ୟାୟରେ ମହିଳାମାନଙ୍କ ଦୌଡ ପ୍ରକ୍ରିୟା ରହିଥିଲା । ଯାହାକି ସୁରୁଖୁରୁରେ ସମାପନ ହୋଇଥିଲା । ଏହାପରେ ପୁରୁଷ ପ୍ରାର୍ଥୀମାନଙ୍କ ପର୍ଯ୍ୟାୟ କ୍ରମେ ପ୍ରଥମ ବ୍ୟାଚ୍ ର ଦୌଡ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହାପରେ ଦ୍ବିତୀୟ ପର୍ଯ୍ୟାୟରେ ପ୍ରାର୍ଥୀମାନେ ଦୌଡି ନିର୍ଦ୍ଧାରିତ ସ୍ଥାନକୁ ଫେରିଆସିଥିଲେ ମଧ୍ୟ । ଦୌଡ ସମାପନ କରି ଆସିବା ପରେ ଏପରି ପରିସ୍ଥିତି ଦେଖାଦେଇଥିଲା । ଚୟନସ୍ଥଳରେ ଉପସ୍ଥିତଥିବା ଡାକ୍ତରମାନେ ପ୍ରାଥମିକ ଚିକିତ୍ସା କରିଥିଲେ ।ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।