ଖୁବ୍ଶୀଘ୍ର ଖୋଲାହେବ କଳିଙ୍ଗ ଷ୍ଟୁଡିଓ । ପୁଣି ଶୁଭିବ ଲାଇଟ୍ କ୍ୟାମେରା ଆକ୍ସନ । ପ୍ରସ୍ତୁତ ହେବ ନୂଆ ଡିପିଆର। ଆବଶ୍ୟକତା ଅନୁସାରେ ପୂର୍ଣ୍ଣାଙ୍ଗ ହୋଇ ଖୋଲିବ ଫିଲ୍ମ ସିଟି । ସୂଚନାଯୋଗ୍ୟ ଯେ, ୧୯୮୦ ମସିହାରେ ସ୍ଥାପିତ ହୋଇଥିବା ଏହି ଷ୍ଟୁଡ଼ିଓ ଏକଦା ଚଳଚ୍ଚିତ୍ର ନିର୍ମାଣ ପାଇଁ ଉନ୍ନତ ଯନ୍ତ୍ରପାତି ସହିତ ପୂର୍ବ ଭାରତର ଏକମାତ୍ର ଷ୍ଟୁଡ଼ିଓ ଭାବେ ଖ୍ୟାତି ଅର୍ଜନ କରିଥିଲା । ସମୟକ୍ରମେ ଆଧୁନିକ ଯନ୍ତ୍ରପାତି ଓ ବୈଷୟିକ ଉପକରଣ ଅଭାବରୁ ଷ୍ଟୁଡ଼ିଓଟିର ଚାହିଦା ହ୍ରାସ ପାଇଥିଲା । ଏହାର ଉନ୍ନତିକରଣ କାର୍ଯ୍ୟ ଜାରି ରହିଛି ।
ନୂଆ ସରକାର ଦାୟିତ୍ୱ ନେବା ପରେ ଏହି ଷ୍ଟୁଡ଼ିଓର ଅତ୍ୟାଧୁନିକୀକରଣକୁ ଗୁରୁତ୍ୱ ଦେବାପାଇଁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ଷ୍ଟୁଡ଼ିଓର ଟେକ୍ ବିଲଡ଼ିଙ୍ଗ, ଏଣ୍ଟ୍ରାନ୍ସ ପ୍ଲାଜା, ଇନଡୋର୍ ସୁଟିଙ୍ଗ ବ୍ୟବସ୍ଥା, କଳିଙ୍ଗ ମୁଭି ମ୍ୟାଜିକ୍, ଆଭେନ୍ୟୁ ଲ୍ୟାଣ୍ଡ, ଭିଲେଜ୍ ଏରିଆ, ଆଇକନିକ୍ ଲ୍ୟାଣ୍ଡ ମାର୍କ, ସ୍ନୋ ୱାର୍ଲଡ, କମ୍ୟୁନିଟି ହଲ୍, ବାମ୍ୱୋ ଷ୍ଟ୍ରକ୍ଚର, ୱାଟର ବଡ଼ି, ଗ୍ରୀନ ଏରିଆ ଇତ୍ୟାଦି ବିକଶିତ କରାଯାଇଛି । ବାକି ରହିଥିବା କାମ ଗୁଡ଼ିକ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟୁଡ଼ିଓରେ ପରିଦର୍ଶନ କରି କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନକ୍ସା ଦେଖିବା ସହ ପୂରା ଷ୍ଟୁଡ଼ିଓ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ । ଷ୍ଟୁଡ଼ିଓ ଭିତରେ ପ୍ରସ୍ତୁତ ହୋଇଥିବା ବହୁମୁଖୀ କୋଠା, ସ୍ନୋ ୱାର୍ଲଡ଼, ଭୂତ ବଙ୍ଗଳା, ପ୍ରଡକ୍ସନ ୟୁନିଟ ସମେତ ପ୍ରୋଜେକ୍ଟର ଓ ଏଡିଟିଂ ପାଇଁ ପ୍ରସ୍ତୁତ ଦୁଇଟି ଅଡିଟୋରିୟମ ଦେଖିଛନ୍ତି ।