ଆମେରିକା ଯାଇପାରିବେନି ଏହି ଦେଶର ଲୋକ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୨ଟି ଦେଶର ଲୋକଙ୍କୁ ଆମେରିକାରେ ପ୍ରବେଶ ନିଷେଧ କରିଛନ୍ତି। ଏହି ଦେଶଗୁଡ଼ିକ ମଧ୍ୟରେ ଆଫଗାନିସ୍ତାନ, ବର୍ମା, ଚାଡ୍, କଙ୍ଗୋ ଗଣରାଜ୍ୟ, ଇକ୍ୱାଟୋରିଆଲ୍ ଗିନି, ଏରିଟ୍ରିଆ, ହାଇତି, ଇରାନ, ଲିବିଆ, ସୋମାଲିଆ, ସୁଡାନ ଏବଂ ୟେମେନ ସାମିଲ୍। ଏହା ସହିତ, ବୁରୁଣ୍ଡି, କ୍ୟୁବା, ଲାଓସ୍, ସିଏରା ଲିଓନ୍, ଟୋଗୋ, ତୁର୍କମେନିସ୍ତାନ ଏବଂ ଭେନେଜୁଏଲାରୁ ଆସୁଥିବା ଲୋକଙ୍କ ଉପରେ କଠୋର ପ୍ରତିବନ୍ଧକ ନିଷ୍ପତ୍ତି ନିଆଯାଇଛି । ସୋମବାର ଦିନ ୧୨ଟାରୁ ଏହି ଯାତ୍ରା ପ୍ରତିବନ୍ଧକ ଲାଗୁ ହେବ ।ପୂର୍ବରୁ ମଧ୍ୟ ତାଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ, ଟ୍ରମ୍ପ ଜାନୁଆରୀ ୨୦୧୭ ରେ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ଜାରି କରିଥିଲେ, ଯେଉଁଥିରେ ସାତଟି ମୁସଲିମ ଦେଶ – ଇରାକ, ସିରିଆ, ଇରାନ, ସୁଡାନ, ଲିବିଆ, ସୋମାଲିଆ ଏବଂ ୟେମେନର ନାଗରିକଙ୍କୁ ଆମେରିକା ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏହା ତାଙ୍କ ରାଷ୍ଟ୍ରପତିତ୍ୱର ସବୁଠାରୁ ବିଶୃଙ୍ଖଳିତ ଏବଂ ଦ୍ୱନ୍ଦ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ ଥିଲା।
