ସିଏମ୍ ଅଫିସ କର୍ମଚାରୀ ପରିଚୟ ଦେଇ ଭୁବନେଶ୍ଵରରେ ଟଙ୍କା ଆଦାୟ କରିବା ସହିତ ବଦଳିର ଧମକ ମିଳୁଛି । ‘ମୁଁ ସିଏମ ଅଫିସରୁ କହୁଥିଲି, ଦୁଇ ଲକ୍ଷ ଟଙ୍କା ନ ଦେଲେ ମାଲକାନଗିରି ପଠାଇଦେବି’। ଜଣେ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଏଭଳି ଢଙ୍ଗରେ ଧମକ ଦେଇ ୨ ଲକ୍ଷ ଟଙ୍କା ଠକି ନେଇଛି ଜଣେ ବ୍ୟକ୍ତ | ଏନେଇ ଗତ ୩ ତାରିଖରେ ଭୁବନେଶ୍ବର ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଛନ୍ତି ପ୍ରତାପ । ସୂଚନାମୁତାବକ ପ୍ରତାପ କୁମାର ହରିପାଲ ଅନୁଗୁଳ ରାସ୍ତା ଓ କୋଠାବାଡ଼ି ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଭାବେ କାମ କରୁଛନ୍ତି। ପ୍ରାୟ ଏକମାସ ପୂର୍ବେ ଜାନକୀବଲ୍ଲଭ ମହାପାତ୍ର ନାମକ ଜଣେ ବ୍ୟକ୍ତି ତାଙ୍କୁ କଲ୍ କରିଥିଲା। ନିଜକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ବୋଲି ପରିଚୟ ଦେଇ ମାଲକାନଗିରି ବଦଳି କରାଇଦେବାକୁ ଧମକ ଦେଇଥିଲେ । ବଦଳି ରୋକିବାକୁ ହେଲେ ଦୁଇଲକ୍ଷ ଟଙ୍କା ଦେବାକୁ କହିଥିଲେ ଜାନକୀ ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ ଆସିଛି ଭାବି ତାଙ୍କ କଥା ରାଜି ହୋଇଯାଇଥିଲେ ପ୍ରତାପ । ତାଙ୍କ କହିବାନୁସାରେ ଭୀମଟାଙ୍ଗି ସ୍ଥିତ ଘରକୁ ଆସି ଦୁଇଲକ୍ଷ ଟଙ୍କା ଦେଇଥିଲେ। ପରେ ପୁଣି ଫୋନ କରି ୫ଲକ୍ଷ ଟଙ୍କା ମାଗିଥିଲେ । ଶେଷରେ ପ୍ରତାପ କୈାଣସି ଉପାୟ ନପାଇ ଏୟାରଫିଲ୍ଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ମଧ୍ୟ ତାଙ୍କ ଅଭିଯୋଗ ଆଧାରରେ କେସ୍ ନଂ – ୨୦୧/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।