ରାଜ୍ୟରେ ଜଙ୍ଗଲର ସଂଖ୍ୟା ବଢୁଛି ଏବଂ ବନ୍ୟଜନ୍ତୁଙ୍କୁ ମଧ୍ୟ ଦିଆଯାଉଛି ସୁରକ୍ଷା । ହେଲେ ଜଙ୍ଗଲରେ ଶିକାର ମଧ୍ୟ ବଢୁଛି । ତେବେ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବା ପାଇଁ ସରକାର ନିୟମକୁ ଆହୁରି କଡାକଡି କରିବାକୁ ଯାଉଛନ୍ତି ।ଶିକାରୀଙ୍କୁ ଜଗିବା ପାଇଁ ଜଙ୍ଗଲ ମଧ୍ୟରେ ଏଆଇ କ୍ୟାମେରାର ବ୍ୟବସ୍ଥା କରାଯାଇଛି । ବନ ବିଭାଗ କର୍ମଚାରୀ ଦିନରାତି ଜଙ୍ଗଲକୁ ସୁରକ୍ଷା ଦେଉଛନ୍ତି । ହେଲେ ଅନେକ ସମୟରେ ଶିକାରୀମାନଙ୍କ ଅସ୍ତ୍ର ଆଗରେ ହାର ମାନୁଛନ୍ତି । ତେବେ କିଭଳି ଭାବରେ ଶିକାରୀଙ୍କ ଠାରୁ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦିଆଯିବ ସେନେଇ ବନ ବିଭାଗ ଅଣ୍ଟା ଭିଡୁଛି ।ଏନେଇ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ କହିଛନ୍ତି, “ପୂର୍ବରୁ ଆଦିବାସୀମାନେ ଜଙ୍ଗଲରେ ରହି ଶିକାର ଉପରେ ନିର୍ଭର କରୁଥିଲେ ।
ମାତ୍ର ଏହି ସଂଖ୍ୟା ଏବେ ହ୍ରାସ ପାଇଛି । ସହରୀ ମାଫିଆ ମାନେ କିଛି ଆଦିବାସୀ ମାନଙ୍କୁ ହାତ କରି ଶିକାର କରୁଛନ୍ତି । ଗତ ବର୍ଷ ଶିକାରୀଙ୍କ ପାଖରୁ ୨୦୦ରୁ ଅଧିକ ବନ୍ଧୁକ ଧରା ପଡିଥିଲା । ସହରୀ ମାଫିଆ ମାନେ ଆଦିବାସୀଙ୍କୁ ବନ୍ଧୁକ ଦେଇ ଶିକାର କରାଇଥାନ୍ତି ।’ ତେବେ ‘ଏନେଇ ବିଭାଗ ସଚେତନ ରହିଛି । ଏପରିକି ଜଙ୍ଗଲ ମଧ୍ୟରେ ଏ ଆଇ କ୍ୟାମେରା ମଧ୍ୟ ଲାଗିଛି । ଯଦି ଶିକାରୀ ମାନେ ଶିକାର କରୁଥିବାର କ୍ୟାମେରା ନଜରକୁ ଆସନ୍ତି, ତେବେ ବିଭାଗ ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ବିଭିନ୍ନ ସ୍ଥାନରେ ଫରେଷ୍ଟ ଫୋର୍ସକୁ ମଧ୍ୟ ଆଗାମୀ ଭବିଷ୍ୟତରେ ସରକାର ଅସ୍ତ୍ରଶସ୍ତ୍ର ଦେବାକୁ ବିଚାର କରୁଛନ୍ତି ।’