ଭୁବନେଶ୍ୱର,(ଓଡିଶା ଦର୍ପଣ): ମହାମହିମ ରାଜ୍ୟପାଳଙ୍କୁ କାଳିଆ କଳା ପୁସ୍ତକ ଉପହାର। ବିଶ୍ୱ ନିୟନ୍ତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚିତ୍ର ଗୀତି ଶତକ ‘କାଳିଆ କଳା’ ପୁସ୍ତକ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ସମର୍ପିତ ହେଲା ପରେ ଆଜି ଅପରାହ୍ନରେ ରାଜଭବନ ପରିସରରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲଜୀଙ୍କୁ ଆୟୋଜକମାନଙ୍କ ତରଫରୁ ଉକ୍ତ ପୁସ୍ତକକୁ ଉପହାର ସ୍ୱରୂପ ପ୍ରଦାନ କରାଯାଇଛି। ‘କାଳିଆ କଳା’ ପୁସ୍ତକରେ ୧୦୨ଗୋଟି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଭିନ୍ନ ବେଶର ଫଟୋ ସମେତ ଶ୍ଳୋକ ସ୍ଥାନିତ କରାଯାଇଛି । ପୁସ୍ତକଟି ଅତ୍ୟନ୍ତ ଚମତ୍କାର ଏବଂ ଜଗନ୍ନାଥ ପ୍ରେମୀଙ୍କ ମନରେ ଅପାର ଆନନ୍ଦ ସୃଷ୍ଟି କରିବବୋଲି ମତବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ବର୍ଗର ଲୋକଙ୍କ ପାଖରେ ଅଧିକରୁ ଅଧିକ ସଂଖ୍ୟାରେ ପୁସ୍ତକଟିକୁ ପହଞ୍ଚାଇବା ପାଇଁ ମହାମହିମ ରାଜ୍ୟପାଳ ପରାମର୍ଶ ଦେଇଥିଲେ। ତତ୍ ସହିତ ନୟାଗଡ଼ ଜିଲ୍ଲାର ବିଶିଷ୍ଟ ଲେଖକ ନାଟ୍ୟଭୂଷଣ ଡ଼ଃ ବିଜୟ କୁମାର ଚୌଧୁରୀ ରଚିତ ‘ଦୃଷ୍ଟି ଦର୍ପଣରେ ନୂଆଗଡ଼ ଗଡ଼ଜାତ’ ପୁସ୍ତକ ମଧ୍ୟ ମହାମହିମଙ୍କୁ କରକମଳରେ ପ୍ରଦତ୍ତ ହୋଇଥିଲା। ଆୟୋଜକମାନଙ୍କ ମଧ୍ୟରେ ନୟାଗଡ଼ ଜିଲ୍ଲାର ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଡ଼ଃ. ବିଜୟ କୁମାର ଚୌଧୁରୀ, ହାସ୍ୟରସିକ ମି. କାଲିଆ ଏବଂ କବି ଗୋଦାବରୀଶ ମିଶ୍ର ପ୍ରମୁଖ ଯୋଗଦେଇଥିଲେ।