ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଘଟଣା:ସରକାରଙ୍କୁ ତାଗିତ କଲେ ନବୀନ

ପୁରୁଷ ବନ୍ଧୁଙ୍କ ସହ ଗୋପାଳପୁର ବେଳାଭୂମିକୁ ବୁଲିବାକୁ ଯାଇଥିବା ଜଣେ କଲେଜ ଛାତ୍ରୀ ଦୁଷ୍କର୍ମ ଘଟଣାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ତୀବ୍ର ନିନ୍ଦା କରିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଶ୍ରୀ ପଟ୍ଟନାୟକ ସରକାର ସଚେତନ ରୁହନ୍ତୁ ବୋଲି ଲେଖିଛନ୍ତି। ଏହା ସହିତ ପର୍ଯ୍ୟଟନ ସ୍ଥଳୀରେ ମହିଳାମାନଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରତିଦିନ ମହିଳାଙ୍କ ଉପରେ ବଢୁଥିବା ନିର୍ଯାତନାକୁ ରୋକିବା ଦିଗରେ ସରକାର ସଜାଗ ହୁଅନ୍ତୁ। ରାଜ୍ୟରେ ମହିଳାମାନଙ୍କ ନିରାପତ୍ତା ଓ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସରକାର କଠୋର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି କହିଛନ୍ତି ।ସୂଚନାଯୋଗ୍ୟ, ଗଂଜାମ ଜିଲ୍ଲା ବାହାରର ଜଣେ ଯୁବତୀ ବ୍ରହ୍ମପୁରର ଏକ ଶିକ୍ଷାନୁଷ୍ଠାନରେ ଯୁକ୍ତ ୩ ଅଧ୍ୟୟନ କରୁଥିବା ବେଳେ ରବିବାର ଅପରାହ୍ଣରେ ନିଜ ପୁରୁଷ ବନ୍ଧୁଙ୍କ ସହ ଗୋପାଳପୁର ଯାଇଥିଲେ। ପାନ୍ଥନିବାସ ପଛପଟ ବେଳାଭୂମିରେ ଉଭୟ ବସିଥିଲେ। ସଂଧ୍ୟା ପ୍ରାୟ ୮ଟା ବେଳେ ହିଞ୍ଜିଳିକାଟୁ ଅଞ୍ଚଳର ୧୦ଜଣ ଯୁବକ ନିଛାଟିଆ ସ୍ଥାନରେ ଉଭୟ ବସିଥିବା ଦେଖି ଅସଦାଚରଣ କରିଥିଲେ। ପୁରୁଷ ବନ୍ଧୁଙ୍କୁ କିଛି ଯୁବକ କାବୁ କରିବା ସହ ଯୁବତୀଙ୍କୁ ଉଠାଇ ନେଇ ଏକ ଅନ୍ଧାରିଆ ସ୍ଥାନରେ ତିନି ଜଣ ଗଣଦୁଷ୍କର୍ମ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ଅଧିକ ପଢନ୍ତୁ

kc ads