ନୟାଗଡ଼,(ଓଡିଶା ଦର୍ପଣ): ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରସନ ଫର ଦିବ୍ୟାଙ୍ଗ ନୟାଗଡ଼ ଶାଖା ପକ୍ଷରୁ ନୟାଗଡ଼ ଜିଲ୍ଲା ରାଜସୁନାଖଳା ଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ କରାଯାଇଛି। ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଏହି ଦିବସର ମୂଳ ଲକ୍ଷ୍ୟ। ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନଙ୍କୁ ଏକତ୍ରିତ କରି ତାଙ୍କ ସହ ଓଏସଇଏଫଡ଼ି ସଂଘର କାର୍ଯ୍ୟକର୍ତ୍ତା କିଛି ସମୟ ବିତାଇବା ଦ୍ବାରା ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନେ ଖୁସି ପ୍ରକଟ କରିଥିଲେ। ଏହି ଦିବସକୁ ଓଡ଼ିଶା ସରକାର ରାଜ୍ୟସାରା ବହୁ ଆଡ଼ମ୍ବରରେ ପାଳନ କରୁଛନ୍ତି, କିନ୍ତୁ ସମସ୍ତ ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନେ ଶିକ୍ଷା ଗ୍ରହଣ କରୁଥିଲେ ମଧ୍ୟ ତାଙ୍କ ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞାପନ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ବାହାର କଲେ ନାହିଁ। ଏହି ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଥିଲେ ସୁଦ୍ଧା,ରାଜ୍ୟ ସରକାର ଏଥି ପ୍ରତି ଦୃଷ୍ଟି ଦେଉ ନାହାଁନ୍ତି। ଏହି ପରିପ୍ରେକ୍ଷୀରେ ଓଏସଇଏଫଡ଼ି ସଂଘ କ୍ଷୋଭ ପ୍ରକାଶ କରିବା ସହ ଖୁବ୍ ଶୀଘ୍ର ନିଯୁକ୍ତିର ବିଜ୍ଞାପନ ବାହାର କରିବା ପାଇଁ ସରକାରଙ୍କୁ ନିବେଦନ କରିଛି। ଶିକ୍ଷା ହେଉଛି ଏକ ଦିବ୍ୟାଲୋକ, ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରେ। ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କୁ ଉତ୍ତମ ଶିକ୍ଷା ଓ ପ୍ରଶିକ୍ଷଣ ଦେବା ଦ୍ବାରା ସେହି ବିଦ୍ୟାର୍ଥୀମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ବୋଲି ସଂଘର କର୍ମକର୍ତ୍ତା ମାନେ ମତ ପୋଷଣ କରିଥିଲେ।ଶାରୀରିକ ଭିନ୍ନତା ଥାଇ ବି ସାଧାରଣ ଶିଶୁ ମାନଙ୍କ ଠାରୁ କୌଣସି ଗୁଣରେ ଏମାନେ କମ୍ ନୁହନ୍ତି ତାହା ପ୍ରତିପାଦିତ କରି ଦେଖାଇଛନ୍ତି ଏହି ଶିଶୁମାନେ। ଭିନ୍ନକ୍ଷମ ଶିଶୁମାନେ ବହୁ ସୁନ୍ଦର ଓ ଆକର୍ଷଣୀୟ ଚିତ୍ରାଙ୍କନ କରି ସେମାନେ ନିଜର ପ୍ରତିଭା ଦେଖାଇ ପାରିଛନ୍ତି। ସ୍ଥାନୀୟ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମଞ୍ଜୁବାଳା ମିଶ୍ର ମହୋଦୟା ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଭିନ୍ନକ୍ଷମ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ବିତରଣ କରି ସେମାନଙ୍କ ମଧ୍ୟରେ ଆଗକୁ ବଢିବାର ସ୍ବପ୍ନ ସୃଷ୍ଟି କରିପାରିଛନ୍ତି। ଏହି ଦିବସ ପାଳନରେ ଶୁଭସ୍ମିତା ମିଶ୍ର, ଶିବ ପ୍ରସାଦ ମିଶ୍ର, ତୃପ୍ତିମୟୀ ପ୍ରଧାନ,ଆର୍ଷୀ ଉପାସନା କର, ସମେତ ଅଭିଭାବକମାନେ ଉପସ୍ଥିତ ଥିଲେ।ରାଜ୍ୟସରକାର ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ଉପରେ ଦୃଷ୍ଟି ଆକର୍ଷଣ କରିଲେ ଲକ୍ଷଲକ୍ଷ ଦିବ୍ୟାଙ୍ଗ ମାନଙ୍କ ଭବିଷ୍ୟତ ଉଜ୍ବଳ ହେବା ସହ ସେମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରନ୍ତେ।