ସମାଜରେ ଆଜି ମଧ୍ୟ ରହିଛି ଜାତିପ୍ରଥା । ଅନ୍ୟ ଜାତିର ପୁଅକୁ ପ୍ରେମ ବିବାହ କରିବାରୁ ଝିଅଘର ପରିବାର ଲୋକଙ୍କୁ ଶୁଦ୍ଧି ହେବାକୁ ପଡ଼ିଲା । ଝିଅ ବଞ୍ଚି ଥାଉ ଥାଉ ପରିବାର ଏବଂ ସଂପର୍କୀୟମାନେ ଶୁଦ୍ଧି ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଗୋରଖପୁର ପଞ୍ଚାୟତ ଅନ୍ତର୍ଗତ ବାଇଗଣଗୁଡ଼ା ଗ୍ରାମରେ । ଜଣେ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଝିଅ, ଅନ୍ୟ ଏକ ଗ୍ରାମର ଜଣେ ଅନୁସୂଚିତ ଜାତି ବର୍ଗର ପୁଅକୁ ଭଲ ପାଉଥିଲେ। ପରବର୍ତ୍ତୀ ସମୟରେ ପରିବାରବର୍ଗଙ୍କ ଅନିଚ୍ଛା ସତ୍ତ୍ବେ ଉକ୍ତ ଯୁବକଙ୍କୁ ବିବାହ କରିଥିଲେ ଯୁବତୀ ଜଣଙ୍କ । ଅନ୍ୟଜାତିରେ ବିବାହ କରିବାରୁ ଗ୍ରାମବାସୀ ଝିଅର ପରିବାର ଲୋକଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ଜାତିରେ ରହିବାକୁ ହେଲେ ପରିବାରବର୍ଗଙ୍କୁ ଶୁଦ୍ଧି ହେବାକୁ ପଡିବ ବୋଲି କହିଥିଲେ । ଛେଳି, କୁକୁଡ଼ା, ଘୁଷୁରି ଆଦି ବଳି ଦେବା ସହିତ ମୁଣ୍ଡନ କରିବାକୁ କହିଥିଲେ ଗ୍ରାମବାସୀ ।ଶେଷରେ ପରିବାର ସମେତ ଗାଁର ପଡ଼ୋଶୀ/ସଂପର୍କୀୟ ଥିବା ୪୦ ପରିବାରର ଜଣେ ଲେଖାଏଁ ସଦସ୍ୟ ଗତ ଜୁନ ୧୧ ତାରିଖରେ ମୁଣ୍ଡନ ହୋଇ ଶୁଦ୍ଧି ହୋଇଥିଲେ । ଏଥିରେ ଖର୍ଚ୍ଚ ହୋଇଥିବା ସମସ୍ତ ଟଙ୍କା ଝିଅର ପରିବାର ଲୋକ ଦେଇଥିଲେ।
