୨୦୨୫ ବର୍ଷର ୬ ମାସ ବିତିଗଲାଣି । କିନ୍ତୁ ଗତ ୬ ମାସରେ ଯେଉଁ ସବୁ ଘଟଣା ଘଟିଛି ତାହାକୁ ଦଶନ୍ଧି ଦଶନ୍ଧି ଧରି ଭୁଲିବା ସହଜ ହେବନି । ସାରା ବିଶ୍ୱରେ ଯୁଦ୍ଧ ଭଳି ସ୍ଥିତି ରହିଛି । ବଡ଼ବଡ଼ ବିମାନ ଦୁର୍ଘଟଣା ଘଟିବାରେ ଲାଗିଛି । ବର୍ଷ ଆରମ୍ଭ ହେଉ ହେଉ କାଲିଫର୍ଣ୍ଣିଆ ଜଙ୍ଗଲରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିଲା । ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ କୁହାଯାଉଛି ବର୍ଷ ୨୦୨୫ର କ୍ୟାଲେଣ୍ଡର ୧୯୪୧ ମସିହା କ୍ୟାଲେଣ୍ଡର ସହ ସମ୍ପୂର୍ଣ୍ଣ ମେଳ ଖାଉଛି । ତୃତୀୟ ବିଶ୍ବଯୁଦ୍ଧକୁ ନେଇ ବଢ଼ୁଛି ଆଶଙ୍କା । ୨୦୨୫ ବର୍ଷର ଛଅ ମାସ ଦେଶ ପାଇଁ ଭୟଙ୍କର ରହିଛି । ମହାକୁମ୍ଭ ଦଳାଚକଟା, କାଶ୍ମୀର ଆତଙ୍କବାଦୀ ଆକ୍ରମଣ, ଅପରେସନ ସିନ୍ଦୂର ଯୋଗୁଁ ଯୁଦ୍ଧ ଭଳି ପରିସ୍ଥିତି ଏବଂ ଜୁନ ଆରମ୍ଭରେ ଅହମ୍ମଦାବାଦ ବିମାନ ଦୁର୍ଘଟଣା । ଏସବୁ ଘଟଣା ସାରା ବିଶ୍ବକୁ ଦୋହଲାଇ ଦେଇଛି । ଏହାରି ଭିତରେ ଋଷ-ୟୁକ୍ରେନ୍ ଯୁଦ୍ଧ ତଥା ଇରାନ୍- ଇସ୍ରାଏଲ ଯୁଦ୍ଧର ତାଣ୍ଡବ ବିଶ୍ବବାସୀଙ୍କୁ ଥରହର କରୁଛି ।୧୯୪୧ ଓ ୨୦୨୫ ବର୍ଷର ଜାନୁଆରି ୧ ତାରିଖ ବୁଧବାର ଦିନ ହିଁ ପଡ଼ିଥିଲା । ଗ୍ରେଗୋରିଆନ୍ କ୍ୟାଲେଣ୍ଡରରେ ଏଭଳି ଚକ୍ର ପ୍ରତି ୨୮ ବର୍ଷରେ ଦୋହରାଇଥାଏ । ଏହାଛଡ଼ା ବିଗତ ୧୦୦ ବର୍ଷ ମଧ୍ୟରେ ଅନେକ ଥର ପୁରୁଣା ବର୍ଷ ପରବର୍ତ୍ତୀ ବର୍ଷଗୁଡ଼ିକ ସହିତ ସମାନ ରହିଥିବା ନଜର ରହିଛି । ସମୟ ସମୟରେ ଘଟଣାବଳୀ ଓ ସ୍ଥିତି ଏକାଭଳି ହୋଇଯାଏ ।
୧୯୪୧ ଦ୍ୱିତୀୟ ବିଶ୍ୱଯୁଦ୍ଧ ପାଇଁ ଏକ ଭୟାନକ ବର୍ଷ ରହିଥିଲା । ଜର୍ମାନୀ ସୋଭିଏତ୍ ସଙ୍ଘ ଉପରେ ଆକ୍ରମଣ କରିଥିଲା । ଜାପାନ ପର୍ଲ ହାର୍ବର ଉପରେ ଆକ୍ରମଣ କରିଥିଲା । ଏହାପରେ ଆମେରିକାକୁ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସାମିଲ ହେବାକୁ ପଡ଼ିଥିଲା । ବିଶ୍ୱଯୁଦ୍ଧରେ ଦୁଇ ମହାଶକ୍ତି ସୋଭିଏତ ସଙ୍ଘ ଓ ଆମେରିକା ସାମିଲ ଥିବାରୁ ଏସିଆ ସମେତ ୟୁରୋପ ଉପରେ ଏହାର ପ୍ରଭାବ ପଡ଼ିଥିଲା । ଏହାପରେ ଅନେକ ଦେଶର ନକ୍ସା ହିଁ ବଦଳି ଯାଇଥିଲା । ହଲ୍ଚଲ୍ ହୋଇଯାଥିଲା ବିଶ୍ୱ ଅର୍ଥନୀତି । ୨୦୨୫ ମସିହାରେ ବି ଅଘଟଣ ପରେ ଅଘଟଣ ଘଟିଚାଲିଛି । ଋଷ-ୟୁକ୍ରେନ୍ ଯୁଦ୍ଧ ଗତ ତିନି ବର୍ଷ ଧରି ଚାଲିଛି, ଯାହା ଥମିବାର ନାଁ ନେଉନି । ଚଳିତ ବର୍ଷ ଏହି ଯୁଦ୍ଧ ଭୟଙ୍କର ସ୍ଥିତି ଆଣିବ ବୋଲି ଆଶଙ୍କା କରାଯାଉଛି ।
ଚଳିତ ବର୍ଷ ପହଲଗାମର ଆତଙ୍କବାଦୀ ଆକ୍ରମଣ ଘଟଣା ପରେ, ମେ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଭୟଙ୍କର ଯୁଦ୍ଧ ହୋଇଥିଲା । କିନ୍ତୁ ଉଭୟ ଦେଶ ଚାରି ଦିନ ପରେ ଅସ୍ତ୍ରବିରତି କରିଥିଲେ ।ବର୍ଷ ଆରମ୍ଭରେ ଇସ୍ରାଏଲ ଓ ହମାସ ଯୁଦ୍ଧ ହୋଇଥିଲା । ଗାଜା ଉପରେ ଆଖିବୁଜା ଆକ୍ରମଣ କରିଥିଲା ଇସ୍ରାଏଲ। ଯେଉଁଥିପାଇଁ ଅନେକ ଲୋକ ପ୍ରାଣ ହରାଇଥିଲେ ।କିନ୍ତୁ କୌଣସି ଦୁଇଟି ବର୍ଷରେ ଏକାଭଳି ଘଟଣା ଘଟିବାର ନା କୌଣସି ବୈଜ୍ଞାନିକ କାରଣ ଅଛି ନା ଅଛି ବୈଜ୍ଞାନିକ ତର୍କ । ପୁରୁଣା ବର୍ଷ ଗୁଡ଼ିକରେ ଘଟିଥିବା ଘଟଣାଗୁଡ଼ିକ ଯେ ମେଳ ଖାଉଥିବା ପରବର୍ତ୍ତୀ ବର୍ଷରେ ଘଟିବ ତାହା କୁହାଯାଇପାରିବ ନାହିଁ । ଯଦି ଏଭଳି ହୁଏ ତାହା କେବଳ ଏକ ସଂଯୋଗ ମାତ୍ର, ଆଉ କିଛି ନୁହେଁ ।