ପୁରୁଣା ଗାଡିକୁ ପେଟ୍ରୋଲ ମନା। ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ସରକାର ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜିଠୁ ପେଟ୍ରୋଲ ପମ୍ପରେ ପୁରୁଣା ଗାଡିକୁ ମିଳିବନି ତେଲ। ଏଣ୍ଡ-ଅଫ୍-ଲାଇଫ୍ ଭେଇକିଲ୍ ଅଧିନରେ ଦିଲ୍ଲୀ ସରକାର ପୁରୁଣା ଗାଡ଼ିଗୁଡିକୁ ରାସ୍ତାରୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ୍, ଯେଉଁ ଗାଡ଼ିଗୁଡ଼ିକ ୧୫ବର୍ଷରୁ ଅଧିକ ହୋଇସାରିଛି ସେଗୁଡ଼ିକ ଆଉ ରାସ୍ତାରେ ଗଡ଼ିବ ନାହିଁ । ପୁରୁଣା ଗାଡ଼ିଗୁଡ଼ିକୁ ଚିହ୍ନଟ କରାଯାଇ ସେଗୁଡ଼ିକୁ ଜବତ କରାଯିବ । ଏଣ୍ଡ-ଅଫ୍-ଲାଇଫ୍ ଭେଇକିଲ୍ ଗୁଡ଼ିକ ଉପରେ ଚାଲାଣ ମଧ୍ୟ କାଟିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଟ୍ରାନ୍ସ ପୋର୍ଟ ବିଭାଗ, ଦିଲ୍ଲୀ ମ୍ୟୁନିସପାଲ କର୍ପୋରେସନ୍ ଏବଂ ଦିଲ୍ଲୀ ପୁଲିସ୍ ପକ୍ଷରୁ ଦିଲ୍ଲୀରେ ଥିବା ସବୁ ପେଟ୍ରୋଲ ପମ୍ପ ଗୁଡିକରେ ଚେକିଂ କରାଯାଉଛି। ପୁରୁଣା ଗାଡି ଗୁଡିକୁ ଚିହ୍ନଟ କରିବା ଲାଗି ଅଟୋମେଟିକ୍ ନମ୍ବର ପ୍ଲୋଟ୍ ରିକଗ୍ନାଇଜେସନ୍ ସିଷ୍ଟମ୍ ଲଗାଯାଇଛି। ଏହି ମେସିନ୍ ପେଟ୍ରୋଲ ପମ୍ପ ଗୁଡିକୁ ଆସୁଥିବା ସବୁ ଗାଡିର ନମ୍ବର ପ୍ଲୋଟ୍ ଯାଞ୍ଚ କରି ତଥ୍ୟ ବାହାର କରିବ। ନିୟମ ଅମାନ୍ୟ କରି ପ୍ରଥମ ଥର ଧରାପଡିଲେ ଗାଡି ମାଲିକଙ୍କୁ ଗୋଟିଏ ଥର ଛାଡ କରାଯିବ। ମାତ୍ର ଦ୍ଵିତୀୟ ଥର ଧରାପଡିଲେ , ଗାଡିକୁ ସମ୍ପୂର୍ଣ୍ଣ ରୂପେ ଜବତ କରି ନିଆଯିବ।
