ରଥଯାତ୍ରାକୁ ତ୍ରୁଟିଶୂନ୍ୟ କରିବାକୁ ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ। 

ପୁରୀରେ ପ୍ରଶାସନିକ ସ୍ତରରେ ଅଦଳବଦଳ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମୀକ୍ଷା। ପୁରୀରେ ପହଞ୍ଚି ରଥଯାତ୍ରାକୁ ତ୍ରୁଟିଶୂନ୍ୟ କରିବାକୁ ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ। ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଗଠନମୂଳକ ନିଷ୍ପତ୍ତି ଉପରେ ଜୋର ଦେଇଥିବା ଜଣାପଡ଼ିଛି ।ଫୋକସରେ ରହିଛି ଶୃଙ୍ଖଳିତ ବାହୁଡ଼ା, ସୁନାବେଶ ଓ ନୀଳାଦ୍ରିବିଜେ ନୀତିକାନ୍ତି ସଂପାଦନା । ସେହିପରି ଭିଡ଼ ନିୟନ୍ତ୍ରଣ, ପୋଲିସ ଓ ମେଡିକାଲ ଟିମ ମୁତୟନ ଉପରେ କଠୋର ପଦକ୍ଷେପ ନେଇଥିବା ଜଣାପଡ଼ିଛି। ଆଗକୁ କୌଣସି ପ୍ରକାର ତ୍ରୁଟି ଘଟିଲେ ଏହା ଅକ୍ଷମଣୀୟ ଓ କଡ଼ା ଆକ୍ସନ ନିଆଯିବ ବୋଲି କଡ଼ା ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।ବୈଠକ ଶେଷ ପରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନିଜ ପ୍ରତିକ୍ରିୟାରେ କହିଛନ୍ତି, ‘ସେବାୟତଙ୍କ ବିଭିନ୍ନ କଥା ରହିଥିଲା । ସେବାୟତ ସମାଜର ଉନ୍ନତି ପାଇଁ ବିଭିନ୍ନ ପ୍ରସଙ୍ଗ ଥିଲା । ସେ ନେଇ ଆଲୋଚନା ପାଇଁ ମତେ ସେବାୟତ ମାନେ ପ୍ରସ୍ତାବ ଦେଇଥିଲେ । ଏଣୁ ଆଜି ଏହି ବୈଠକ ପୁରୀ ସର୍କିଟ ହାଉସରେ ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିରରେ ବିଭିନ୍ନ ସଂସ୍କାର ମୂଳକ କାର୍ଯ୍ୟ ରାଜ୍ୟ ସରକାର କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ସେବାୟତଙ୍କ ମତାମତ ନିଆଯାଇ ସବୁ କାର୍ଯ୍ୟ କରାଯିବ । ’ସେ ଆହୁରି କହିଛନ୍ତି, ‘ପ୍ରତି ତିନି ମାସରେ ଥରେ ଏଣିକି ଶ୍ରୀମନ୍ଦିର ଛତିଶା ନିଯୋଗର ବରିଷ୍ଠ ସେବାୟତଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବ । ଶ୍ରୀମନ୍ଦିରର ବିଭିନ୍ନ ସମସ୍ୟା, ସେବାୟତଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରାଯାଇ ବିଭିନ୍ନ ପଦକ୍ଷେପ ନିଆଯିବ । ତେବେ ରଥଯାତ୍ରା ଦିନ କେତେକ ସେବାୟତଙ୍କୁ କେତେକ ଅଧିକାରୀ ଅନଧିକୃତ ସେବକ ଘୋଷଣା କରିବାକୁ ନେଇ ସେବାୟତଙ୍କ ଭିତରେ ଅସନ୍ତୋଷ ଥିଲା । ଯେଉଁ ମାନେ 365 ଦିନ ମହାପ୍ରଭୁଙ୍କ ସେବାରେ ଅଛନ୍ତି ସେମାନେ ସବୁ ସେବାୟତ । ଏଭଳି ଅନଧିକୃତ ସେବକ ଘୋଷଣା ଠିକ୍ ନୁହେଁ । ଏହାକୁ ନେଇ ସେବାୟତ ମାନେ ଅସନ୍ତୁଷ୍ଟ ଥିବାରୁ ମୁଁ ସେମାନଙ୍କୁ କ୍ଷମା ମାଗୁଛି ।’

ଅଧିକ ପଢନ୍ତୁ