୨ ଭିନ୍ନକ୍ଷମ ଝିଅଙ୍କ ପାଇଁ ଉପଯୁକ୍ତ ଘର ମିଳୁନି : ଜଷ୍ଟିସ୍‌ ଚନ୍ଦ୍ରଚୂଡ଼

ବର୍ଷକ ପୂର୍ବେ ଦେଶର ପ୍ରଧାନ ବିଚାରପତି ଥିବାବେଳେ ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ ନିଜ ମନ୍ତବ୍ୟ ଏବଂ ରାୟ ପାଇଁ ଗଣମାଧ୍ୟମରେ ଚର୍ଚ୍ଚିତ ରହିଥିଲେ। ତାଙ୍କୁ ଦିଆଯାଇଥିବା ସରକାରୀ ଘର ଖାଲି କରାଇବାକୁ ସୁପ୍ରିମକୋର୍ଟ ରବିବାର କେନ୍ଦ୍ର ସରକାରଙ୍କୁ ଜଣାଇବା ପରେ ସେ ପୁଣିଥରେ ଖବର ଶିରୋନାମା ମଣ୍ଡନ କରିବା ସହ ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି। ଏବେ ପୁରା ପ୍ରକରଣରେ ପୂର୍ବତନ ପ୍ରଧାନ ବିଚାରପତି ନୀରବତା ଭାଙ୍ଗିଛନ୍ତି। ସେ ଏପର୍ଯ୍ୟନ୍ତ ସରକାରୀ ଘର ଖାଲି କରି ପାରିନଥିବାର କାରଣ ସମ୍ପର୍କରେ ସୂଚିତ କରିଛନ୍ତି। ସେ କହିଛନ୍ତି ଯେ ଏ ପର୍ଯ୍ୟନ୍ତ ସରକାରୀ ଆବାସରେ ଏଥି ପାଇଁ ଅଟକି ରହିଛନ୍ତି ଯେ ପୌଷ୍ୟ ଗ୍ରହଣ କରିଥିବା ଦୁଇ ଝିଅ ପ୍ରିୟଙ୍କା ଓ ମାହୀ ଏକ ଗୁରୁତର ରୋଗରେ ଗ୍ରସିତ ଅଛନ୍ତି। ଏଣୁ ସେମାନଙ୍କ ଦେଖାଶୁଣା ନିମନ୍ତେ ସ୍ୱତନ୍ତ୍ର ସୁବିଧା ଥିବା ଘରର ନିତ୍ୟାନ୍ତ ଆବଶ୍ୟକତା ଅଛି। ୨ ଝିଅ ପ୍ରିୟଙ୍କା ଏବଂ ମାହି ବିରଳ ଗୁଣସୂତ୍ର ଅସଙ୍ଗତିଜନିତ ମ୍ୟୋପାଥିରେ ପୀଡ଼ିତ, ଯେଉଁଥିରେ କଙ୍କାଳ ମାଂସପେଶୀ ପ୍ରଭାବିତ। ଏହାର କୌଣସି ଚିକିତ୍ସା ନାହିଁ। ସେମାନଙ୍କ ଉପରେ ୨୪ ଘଣ୍ଟା ନଜର ରଖିବା ସହ ଚଳିବାରେ ସୁବିଧା ପାଇଁ ଉପଯୁକ୍ତ ଘରର ଆବଶ୍ୟକତା ରହିଛି।ଚନ୍ଦ୍ରଚୂଡ଼ କହିଛନ୍ତି ଯେ ପ୍ରିୟଙ୍କା ଓ ମାହୀଙ୍କୁ ସବୁଦିନ ଫିଜିଓଥେରାପୀ, ରେସିପ୍ରେଟରୀ ଥେରାପୀ, ନ୍ୟୁରୋଲଜିକାଲ ସପୋର୍ଟ ଓ ପେନ ମ୍ୟାନେଜମେଣ୍ଟର ଆବଶ୍ୟକତା ରହୁଛି। ଏବେ ରହୁଥିବା ଘରଟି ତାଙ୍କ ଅନୁସାରେ କଷ୍ଟମାଇଜ ହୋଇଛି, ଏପରିକି ବାଥ ରୁମ ମଧ୍ୟ। ସେ କହିଛନ୍ତି ଯେ ପ୍ରିୟଙ୍କା ୨୦୨୧ ମସିହାରୁ ଭେଣ୍ଟିଲେଟର ସପୋର୍ଟରେ ରହିଛି। ଏଥି ପାଇଁ ଘରର ଏକ ଅଂଶକୁ ଆଇସିୟୁରେ ପରିଣତ କରାଯାଇଛି। ତାକୁ ଡଷ୍ଟ ଏଲର୍ଜୀ ଓ ଇନଫେକ୍ସନରୁ ରକ୍ଷା କରିବା ଜରୁରି, କାରଣ ତାର ଇମ୍ୟୁନିଟି ଅତ୍ୟନ୍ତ ଦୁର୍ବଳ।

ପୂର୍ବତନ ଚିଫ୍ ଜଷ୍ଟିସ୍ କହିଛନ୍ତି ଯେ ତାଙ୍କ ପତ୍ନୀ କଳ୍ପନା ସମ୍ପୂର୍ଣ୍ଣ ରୂପେ ଝିଅମାନଙ୍କ ଦେଖାଶୁଣା ଲାଗି ସମର୍ପିତ। ଏଣୁ ଆମେ ପ୍ରାୟ ସାମାଜିକ ଗତିବିଦ୍ଧିରୁ ଦୂରରେ ରହୁଛୁ ଓ ଘରେ ପିଲାଙ୍କ ସହିତ ଆମର ସମୟ ବିତାଉଛୁ। ଦୁଇ ଝିଅ ଚେସ୍ ଖେଳରେ ମାଷ୍ଟର ଓ ମ୍ୟୁଜିକ ଏବଂ ଆର୍ଟରେ ଋଚି ରଖନ୍ତି। ଦୁଇ ଜଣଙ୍କର ହୋମ ସ୍କୁଲିଂ ହେଉଛି। ସେ କହିଛନ୍ତି ଯେ ପ୍ରିୟଙ୍କା ଓ ମାହୀ ୧୧ଟି ବିଲେଇଙ୍କ ଦେଖାଶୁଣା କରୁଛନ୍ତି।

ଅଧିକ ପଢନ୍ତୁ

kc ads