ରାୟଗଡ଼ା- ନିୟମଗିରି ମାଓବାଦୀ ନାଁରେ ଧମକ ଦେଇ ଚାନ୍ଦା ମାଗୁଥିବା ଦୁଇ ଜଣ ଯୁବକ ଓ ଜଣେ ନାବାଳକଙ୍କୁ ଗିରଫ କରିଛି ଦୋରାଗୁଡ଼ା ପୋଲିସ । ତେବେ ପୋଲିସ ତଦନ୍ତରୁ ଉକ୍ତ ତିନି ଜଣ ନକଲି ମାଓବାଦୀ ନାଁରେ ଲୋକଙ୍କୁ ଧମକ ଦେଉଥିବା ଜଣାପଡ଼ିଛି । ଗିରଫ ମଧ୍ୟରେ ଦୁଇଜଣ ଯୁବକ କୁପାଖାଲ ଗ୍ରାମର ବିନୋଦ ବାଗ ଓ ମାଳିଗୁଡ଼ା ଗ୍ରାମର ନରେଶ ନାଏକ । ଅନ୍ୟଜଣେ ନାବାଳକ ରହିଥିବା ପୋଲିସ ସୂତ୍ରରୁ ପ୍ରକାଶ । ଘଟଣାରୁ ପ୍ରକାଶ ଯେ, ଦୋରାଗୁଡ଼ା ଥାନା ଅର୍ନ୍ତଗତ ହାତୀମୁଣ୍ଡା ଟିକିରି ଗ୍ରାମର ଚନ୍ଦ୍ରଶେଖର ବିଶୋଇଙ୍କୁ ଉକ୍ତ ୩ଜଣ ନିୟମଗିରି ଅଂଚଳର ମାଓବାଦୀ ବୋଲି ପରିଚୟ ଦେଇ ଚନ୍ଦ୍ରଙ୍କୁ ମାଓବାଦୀ ନାଁରେ ଚିଠି ଓ ଫୋନ୍ କଲ କରି ୫୦ଲକ୍ଷ ଟଙ୍କା ଚାନ୍ଦା ମାଗିଥିଲେ । ତେବେ ଏନେଇ ଚନ୍ଦ୍ରଶେଖର ଦୋରାଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଥଲେ । ଉକ୍ତ ଅଭିଯୋଗକୁ ଭିତି କରି ଦୋରାଗୁଡ଼ା ଆଇଆଇସି କିରଣବାଳା ସାମଲ ଥାନା କେସ ନଂ ୮୮ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଉକ୍ତ ତଦନ୍ତରୁ ବିନୋଦ ଓ ନରେଶଙ୍କ ସହିତ ଜଣେ ନାବାଳକ ସାମିଲ ଥିବା ଜଣାପଡ଼ିବା ପରେ ପୋଲିସ ୩ଜଣଙ୍କୁ ଗିରଫ କରିଥିଲା । ବିନୋଦ ଓ ନରେଶଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ନାବାଳକଙ୍କୁ ବାଳ ସୁଧାର ଗୃହକୁ ପଠାଯାଇଛି ।
