ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ଏହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଏସବୁ ଭିତରେ ସୌମ୍ୟାଶ୍ରୀଙ୍କୁ ଉଦ୍ଧାର କରିବାକୁ ଯାଇ ଗୁରୁତର ହୋଇଥିବା ଛାତ୍ରଙ୍କୁ ସମସ୍ତେ ଯେମିତି ଭୁଲି ଯାଇଛନ୍ତି ବା କେହି ଧ୍ୟାନ ଦେଉ ନାହାନ୍ତି । ତେବେ ଛାତ୍ର ଜଣକ ହେଉଛନ୍ତି ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ର ଜ୍ୟୋତିପ୍ରକାଶ ବିଶ୍ବାଳ। ସେ ଗୁରୁତର ହୋଇ ଏବେ ଆଇସିୟୁରେ ଥିବା ଜଣାପଡିଛି। ପ୍ରଥମେ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସ୍ସିବିକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କ ଶରୀରର ୧୫ ପ୍ରତିଶତ ପୋଡ଼ି ଯାଇଛି ।ଜ୍ୟୋତିପ୍ରକାଶଙ୍କ ଅବସ୍ଥା ସ୍ଥିର ଅଛି।ତେବେ ସେଦିନ କ’ଣ ଘଟିଥିଲା କିଛି ଗଣମାଧ୍ୟମ ରେ ସବୁ କହିଛନ୍ତି ଜ୍ୟୋତିପ୍ରକାଶ। ଜ୍ୟୋତିପ୍ରକାଶଙ୍କ କହିବାନୁସାରେ, ସେଦିନ ସେ ବିଜ୍ଞାନ ଭବନ ଆଡ଼େ ଯାଉଥିଲେ। ତାଙ୍କ ସାମ୍ନାରେ ସୌମ୍ୟାଶ୍ରୀ ଜଳି ଦୌଡ଼ିଥିଲେ । ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବା ଭିତରେ ନିଜ ସାର୍ଟରେ ନିଆଁ ଲାଗିଯାଇଥିଲା। ନିଜ ସାର୍ଟ ଖୋଲି ସୌମ୍ୟାଶ୍ରୀଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ତେବେ କିଛି ସମୟ ଭିତରେ ପାଖରେ ଥିବା ଅନ୍ୟ ଛାତ୍ରୀଛାତ୍ର ଆସି ସାହାଯ୍ୟ କରିଥିଲେ। ପରେ ସେ ନିଜେ ପୋଡ଼ି ଯାଇଥିବା ଜାଣିଥିଲେ। ପରେ ଜଣ ସମ୍ପର୍କୀୟ ତାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ବୋଲି ଜ୍ୟୋତିପ୍ରକାଶ କହିଛନ୍ତି।
