ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଗୋଟିଏ ପରେ ବିଜେଡି ଆନ୍ଦୋଳନକୁ ଓହ୍ଲାଇଥିବାବେଳେ ଅନ୍ୟପଟେ ଆସନ୍ତାକାଲି ଓଡ଼ିଶାବନ୍ଦ ଡାକରା ଦେଇଛି କଂଗ୍ରେସ। ବୁଧବାର ବିଜେଡି ପକ୍ଷରୁ ଲୋକସେବା ଭବନ ଘେରାଉ କରିବାକୁ ଉଦ୍ୟମ କରିଥିବା ବେଳେ ପୋଲିସ-ବିଜେଡି ମୁହାଁମୁହିଁ ହୋଇଛନ୍ତି। ଏପରିକି ଲୋୟର ପିଏମ୍ଜିରେ ପ୍ରଥମ ବାରିକେଡ ଭାଙ୍ଗି ଦେଇଛନ୍ତି ବିଜେଡି କର୍ମୀ। ଏହାରି ମଧ୍ୟରେ ବଡ଼ ଖବର ସାମ୍ନାକୁ ଆସିଛି। ପୋଲିସ ସହ ମୁହାଁମୁହିଁ ଭିତରେ ଆହତ ହୋଇଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା । ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ, ପ୍ରୀତିରଞ୍ଜନ ଘଡେଇ ଓରଫ ଡ୍ୟାନୀ ଏବଂ ରାଜ୍ୟ ସଭା ସାଂସଦ ସୁଲତା ଦେଓ ଆହତ ହୋଇଥିବା ଜଣାପଡିଛି । ତେବେ ପୁଲିସ କମିସନର ଏସ୍.ଦେବଦତ୍ତ ସିଂଙ୍କ ସୂଚନା , ଆନ୍ଦୋଳନକାରୀଙ୍କ ଉପରେ ରବର ବୁଲେଟ୍ ମାଡ଼ କରାଯାଇନାହିଁ । ସେ କହିଛନ୍ତି , କେବଳ ୫ଟି ଲୁହବୁହା ଗ୍ୟାସ୍ ଏବଂ ପାଣି ମାଡ଼ କରାଯାଇଛି । ଏଆଇ ଡ୍ରୋନ୍ ଯୋଗେ ଆନ୍ଦୋଳନକାରୀଙ୍କ ଦୃଶ୍ୟ କଏଦ ହୋଇଛି । ହିଂସା ଘଟାଇଥିବା ଚିତ୍ର ସାମ୍ନାକୁ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
