ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସୌମ୍ୟାଶ୍ରୀଙ୍କ ଦେହରେ ନିଆଁ ଲାଗିବା ପରେ ଶେଷ କଥା କ’ଣ କହିଛନ୍ତି। ଏନେଇ ସୌମ୍ୟାଶ୍ରୀଙ୍କ ଅତି ଘନିଷ୍ଠ ବନ୍ଧୁ ପ୍ରକାଶ କରିଛନ୍ତି। ଯେବେ ସୌମ୍ୟାଶ୍ରୀଙ୍କ ଦେହରେ ନିଆଁ ଲାଗିଲା ସେ ପ୍ରିନ୍ସପାଲଙ୍କ ଚାମ୍ବରକୁ ଯିବାକୁ ଚେଷ୍ଟା କରୁଥିଲେ, ତାହା ସିସିଟିଭିରେ ଦେଖିବାକୁ ମିଳିଥିଲା। ଏହାପରେ କଲେଜର ମଞ୍ଚ ପାଖକୁ ଯାଇଥିଲେ, ଆଉ ସେଇଠି ହିଁ ଅର୍ଦ୍ଧଧଗ୍ଧ ଅବସ୍ଥାରେ ପଡିଥିଲେ। ଘନିଷ୍ଠ ବନ୍ଧୁଙ୍କ କହିବାନୁସାରେ, ମୁଁ ସୌମ୍ୟାଶ୍ରୀଙ୍କ କଲେଜରେ ପଢୁନଥିଲି। ମୁଁ ଅନ୍ୟ ଏକ କଲେଜରେ ପଢେ। ସୌମ୍ୟାଶ୍ରୀଙ୍କ ଦେହରେ ନିଆଁ ଲାଗିବା କଥା ଶୁଣି ମୁଁ ସ୍କୁଟି ଯୋଗେ କଲେଜରେ ପହଞ୍ଚିଥିଲି। ପହଞ୍ଚିଲା ପରେ ଦେଖିଲି ସୌମ୍ୟାଶ୍ରୀ ତଳେ ପଡିଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଛାତ୍ରୀଛାତ୍ର, ଅଧ୍ୟାପିକା, ଅଧ୍ୟାପକ କିଛି ସାହାଯ୍ୟ କରୁନଥିଲେ। ଉପରେ ଗୋଟେ ଓଢଣୀ ପଡିଥିଲା। କିଛି ସମୟ ପରେ ସୌମ୍ୟାଶୀ କହିଥିଲେ ମୋତେ ଟିକେ ପାଣି ଦରକାର। ତାଙ୍କର ଜଣେ ବଡ଼ ଭାଇ ପାଣି ଆଣିକି ଦେଇଥିଲେ, ପିଇବା ପରେ ଆମ୍ବୁଲାନ୍ସ ଆସି ପହଞ୍ଚିଥିଲା। ସୌମ୍ୟାଶ୍ରୀ ଚିତ୍କାର କରୁଥିଲେ, କହୁଥିଲେ ମୋତେ ବହୁତ କଷ୍ଟ ହେଉଛି, ମୁଁ ଠିକ୍ ହୋଇଯିବି ତ! ହେଲେ କିଛି ସମୟ ପରେ ତାଙ୍କର ଚିତ୍କାର ଶୁଭୁନଥିଲା। ବୋଧ ହୁଏ ସୌମ୍ୟାଶ୍ରୀଙ୍କ ଚେତା ପଳାଇଥିଲା।
