ପୁଣି NCERTରୁ ବାଦ୍ ପଡିଲା ପାଇକ ବିଦ୍ରୋହ । NCERT ପାଠ୍ୟ ପୁସ୍ତକରୁ ପୁଣି ଏକ ଐତିହାସିକ ବିଷୟକୁ ବାଦ ଦିଆଯାଇଛି । ଯାହାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ମୁଖ୍ୟ ନବୀନ ପଟ୍ଟନାୟକ । ସେ ସୋସିଆଲ୍ ମିଡିଆ ଏକ୍ସରେ ଏନେଇ କହିଛନ୍ତି ଯେ, NCERT ପାଠ୍ୟ ପୁସ୍ତକରୁ ଓଡ଼ିଶାର ପାଇକ ବିଦ୍ରୋହକୁ ବାଦ ଦିଆଯିବା ନେଇ ମୁଁ ଚିନ୍ତିତ । ପାଇକ ବିଦ୍ରୋହ ଓଡ଼ିଶା ଇତିହାସର ଏକ ଐତିହାସିକ ମୁହୂର୍ତ୍ତ ଥିଲା କାରଣ ଆମ ସାହସୀ ପାଇକମାନେ ୧୮୧୭ ମସିହାରେ ଅତ୍ୟାଚାରୀ ବ୍ରିଟିଶ ବିରୋଧରେ ଅସାଧାରଣ ସାହସର ସହିତ ଲଢିଥିଲେ । ଏହା ଛଡା ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପାଇକ ବିଦ୍ରୋହ ଏବଂ ଓଡ଼ିଶାକୁ ନ୍ୟାୟ ଦେବା ପାଇଁ ଅନୁରୋଧ କରିଛନ୍ତି । ଅନ୍ୟପଟେ ଓଡ଼ିଶାର ପାଇକ ବିଦ୍ରୋହକୁ ଜାତୀୟସ୍ତରରେ ମାନ୍ୟତା ଦେବାରେ ଟାଳଟୁଳ ନୀତି ବିରୋଧରେ ଦ୍ୱିତୀୟ ବିଦ୍ରୋହ ପାଇଁ ଆହ୍ୱାନ ଦେଇଛି ପାଇକ ମହାସଂଘ । ପାଇକ ବିଦ୍ରୋହର ସ୍ମାରକୀ ନିର୍ମାଣରେ ବିଳମ୍ବ, ଉତ୍କଳ ବିଶ୍ୱବିଦ୍ୟାଳୟରେ ବକ୍ସି ଜଗବନ୍ଧୁ ପାଇକ ଚେୟାର ସ୍ଥାପନ, ପାଇକ ଏକାଡେ଼ମୀ ଓ ପାଇକ ରେଜିମେଣ୍ଟ ଗଠନ ଆଦିରେ ଅବହେଳା ସାଙ୍ଗକୁ ଏବେ ଏନ୍ସିଆର୍ଟି ପୁସ୍ତକୁ ପାଇକ ବିଦ୍ରୋହକୁ ବାଦ ଦେବା ପ୍ରତିବାଦରେ ଖୋର୍ଦ୍ଧାମାଟିରୁ ପୁଣି ପାଇକ ବିଦ୍ରୋହ ଆରମ୍ଭ ହେବ ବୋଲି ମହାସଂଘ ଚେତାବନୀ ଦେଇଛି ।
