ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଏହି ଲଘୁଚାପ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡ଼ିଶା ଆଡ଼େ ମୁହାଁଇବ ବୋଲି ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆସନ୍ତା ୨୮ ଜୁଲାଇ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି।ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲାରେ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏଠାରେ ରେଡ଼ ୱାର୍ଣ୍ଣିଂ ଜାରି ହୋଇଛି।ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ସୁନ୍ଦରଗଡ଼, ବାଲେଶ୍ବର, ଭଦ୍ରକ ଏବଂ ଯାଜପୁର ଜିଲାକୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ନୂଆପଡ଼ା, ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ, କଳାହାଣ୍ଡି, ନବରଙ୍ଗପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲାକୁ ପ୍ରବଳ ବର୍ଷା ଏବଂ ବଜ୍ରପାତ ପାଇଁ ସତର୍କ ସୂଚନା ଜାରି କରାଯାଇଛି।
