ରାଜ୍ୟରେ ଏଣିକି ଠିକା ସଂସ୍ଥା(ଆଉଟ୍ସୋର୍ସିଂ) ଜରିଆରେ ସିଧାସଳଖ ନୂଆ ନିଯୁକ୍ତି ସିଧାସଳଖ ଦିଆଯିବ ନାହିଁ। ପୂର୍ବରୁ ଯେଉଁସବୁ ଆଉଟ୍ସୋର୍ସିଂ ସଂସ୍ଥାକୁ ମ୍ୟାନ୍ ପାଓ୍ବାର ଲାଗି ନିଯୁକ୍ତ କରାଯାଇଛି ତାହା ବଜାୟ ରହିବ ଏବଂ ସମ୍ପୃକ୍ତ ସଂସ୍ଥା ନବୀକରଣ କରିପାରିବେ। ହେଲେ ସମ୍ପୃକ୍ତ ସଂସ୍ଥା ଅର୍ଥ ବିଭାଗର ବିନା ଅନୁମୋଦନରେ ନୂଆ କରି ଜଣେ ହେଲେ ବି ‘ମ୍ୟାନ୍ ପାଓ୍ବାର’ ନିଯୁକ୍ତି ଦେଇପାରିବେ ନାହିଁ ବୋଲି ଅର୍ଥ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅନ୍ୟପକ୍ଷରେ, କୌଣସି ନୂଆ କ୍ୟାଡର୍ ନିୟମ ପ୍ରସ୍ତୁତି କିମ୍ବା ସଂଶୋଧନ ପୂର୍ବରୁ ଅର୍ଥବିଭାଗ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଏବଂ ଆଇନ ବିଭାଗର ଅନୁମତି ନେବାକୁ ମୁଖ୍ୟ ସଚିବ ମନୋଜ ଆହୁଜା ସବୁ ବିଭାଗକୁ କହିଛନ୍ତି। କ୍ୟାଡର ନିୟମ ସମ୍ପର୍କିତ କୌଣସି ପ୍ରସ୍ତାବ କ୍ୟାବିନେଟ୍ରେ ଉପସ୍ଥାପନ କରିବା ପୂର୍ବରୁ ଯଥାର୍ଥ ଆକଳନ ଏବଂ ଆର୍ଥିକ ପ୍ରଭାବ ଅନୁଶୀଳନ କରିବା ଆବଶ୍ୟକତା ରହିଥିବା ଦୃଷ୍ଟିରୁ ଆଗୁଆ ଅନୁମତି ନେବାକୁ ବିଭାଗଗୁଡ଼ିକୁ କୁହାଯାଇଛି।
