ଭାରତୀୟ ସେନା ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି। ଠିକ ତିନି ମାସ ପରେ, ପହଲଗାମରେ ୨୬ ଜଣ ନିର୍ଦ୍ଦୋଷ ଲୋକଙ୍କୁ ନିର୍ମମ ଭାବରେ ହତ୍ୟା କରିଥିବା ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି। ସୂଚନା ଅନୁସାରେ, ତିନି ଜଣ ପାକିସ୍ତାନୀ ଆତଙ୍କବାଦୀ ମୁସା ସୁଲେମାନ, ୟାସିର ଏବଂ ଅଲିଙ୍କ ମୃତଦେହ ଉଦ୍ଧାର କରାଯାଇଛି, ଯେଉଁମାନଙ୍କ ମଧ୍ୟରୁ ସୁଲେମାନ ଏବଂ ୟାସିର ପହଲଗାମ ଆକ୍ରମଣରେ ସାମିଲ ଥିଲେ। ସୋମବାର ସର୍ଚ୍ଚ ଅପରେସନ୍ ବେଳେ ହଠାତ ଆତଙ୍କବାଦୀମାନେ ଗୁଳିମାଡ କରିଥିଲେ। ଯାହାଫଳରେ ସମ୍ପୂର୍ଣ୍ଣ ଅଞ୍ଚଳରେ ଉତ୍ତେଜନା ବଢି ଯାଇଥିଲା। ଏହାପରେ ସୁରକ୍ଷାବାହିନୀ ପୁରା ଅଞ୍ଚଳକୁ ଘେରି ଯାଇଥିଲେ ଓ ଅପରେସନ୍ ଆହୁରି କଡାକଡି କରିଥିଲେ। ସେମାନଙ୍କଠାରୁ ଆମେରିକା ସ୍ଥିତ କାର୍ବାଇନ, AK-47, 17 ରାଇଫଲ ଗ୍ରେନେଡ ଏବଂ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରାଯାଇଛି। ଏହା ଭାରତୀୟ ସେନା ପାଇଁ ଏକ ବଡ଼ ସଫଳତା, ପହଲଗାମ ଆକ୍ରମଣର ସମସ୍ତ ଆତଙ୍କବାଦୀ ନିହତ ହୋଇଥିବାବେଳେ ଏବେ କେବଳ ଜଣେ ବାକି ଥିବା ସୂଚନା ମିଳିଛି। ଆତଙ୍କୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନକୁ ‘ଅପରେସନ ମହାଦେବ’ ନାଁ ଦିଆଯାଇଛି। ଏହି ଅପରେସନରେ ନିହତ ଆତଙ୍କବାଦୀମାନେ ପହଲଗାଓଁ ଆକ୍ରମଣ ସହ ଜଡ଼ିତ ବୋଲି କୁହାଯାଉଛି। ଗୁଳି ବିନିମୟ ଜାରି ରହିଛି। ଆହୁରି କିଛି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ତଲାସୀ ଅଭିଯାନ ଚାଲିଛି।
