ଶ୍ରୀମନ୍ଦିର ଗଳାବାଟ ପାଇଁ ହାତଗୁଞ୍ଜା ନେଉଛନ୍ତି ଜେଟିପି:ଜେଟିପିଙ୍କୁ କାର୍ଯ୍ୟରୁ ବହିଷ୍କାର ନିର୍ଦ୍ଦେଶ

ହାତଗୁଞ୍ଜା ନେଇ ଗଳା ବାଟରେ ଭକ୍ତଙ୍କୁ ଛାଡୁଥିଲେ ଜେଟିପି ସ୍କ୍ବାର୍ଡ । ଭିଡ଼ିଓ ଭାଇରାଲ ପରେ କାର୍ଯ୍ୟରୁ ଅନ୍ତର କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଦେଶ । ସିଂହଦ୍ବାର ସମ୍ମୁଖରେ ସେବାୟତଙ୍କ ପାଇଁ ଉଦ୍ଧିଷ୍ଟ ରାସ୍ତାରେ ଟଙ୍କା ନେଇ ଜଣେ ଜେଟିପି ସ୍କ୍ବାର୍ଡ ଲୋକଙ୍କୁ ଛାଡୁଥିବାର ଭିଡ଼ିଓ ସାମ୍ନାକୁ ଆସିଥିଲା । ଏ ସଂକ୍ରାନ୍ତୀୟ ଭିଡ଼ିଓ ଭାଇରାଲ ହେବାପରେ ଆକ୍ସନ ମୋଡ଼କୁ ଆସିଛି ଶ୍ରୀମନ୍ଦିର ପ୍ରଶାସନ । ଦୋଳମଣ୍ଡପ ସାହି ଓ ଏହା ସଂଲଗ୍ନ ସାହିଗୁଡ଼ିକର ସେବାୟତଙ୍କ ସମେତ ଡ୍ୟୁଟି କରୁଥିବା କର୍ମଚାରୀମାନେ ସହଜରେ ଯାତାୟାତ ନିମନ୍ତେ ସିଂହଦ୍ୱାର ଆଗରେ ଏକ ବାଟ କରାଯାଇଛି । ମାତ୍ର ଏହି ବାଟକୁ କିଛି ପୁଲିସ ଓ ଶ୍ରୀମନ୍ଦିର କର୍ମଚାରୀ ଲାଞ୍ଚ ନେଇ ସାଧାରଣ ଲୋକଙ୍କ ପାଇଁ ଗଳାବାଟ କରି ଦେଇଛନ୍ତି । ଯାତ୍ରୀ ଗୁମାସ୍ତା, ଧୂଳିଆ ପ୍ରଭୃତିମାନଙ୍କଠାରୁ ଲାଞ୍ଚ ନେଇ ଏହି ବାଟରେ ସେମାନଙ୍କ ଯାତ୍ରୀଙ୍କୁ ଛାଡ଼ୁଛନ୍ତି । ବିନା ଯାଞ୍ଚରେ ଯାତ୍ରୀମାନଙ୍କୁ ସହଜରେ ଶ୍ରୀମନ୍ଦିରରେ ପ୍ରବେଶର ପ୍ରତିଶ୍ରୁତି ଦେଇ ଯାତ୍ରୀ ଗୁମାସ୍ତାମାନେ ଶ୍ରଦ୍ଧାଳୁଙ୍କଠାରୁ ଟଙ୍କା ଆଦାୟ କରୁଛନ୍ତି । ବିଗତ କିଛି ଦିନରେ ସ୍ପାଏ କ୍ୟାମେରା ନେଇ ୩ରୁ ଉର୍ଦ୍ଧ୍ବ ସନ୍ଦିଗ୍ଧ ଧରାପଡ଼ିଥିବା ବେଳେ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବଡ଼ ବିପଦ ସୃଷ୍ଟି କରିଛି । କିଛି ଅଧିକାରୀ ଓ କର୍ମଚାରୀଙ୍କ ଟଙ୍କା ଲୋଭ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ଆହ୍ବାନ ସୃଷ୍ଟି କରିଛି ।

ଅଧିକ ପଢନ୍ତୁ